- ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ହୋମ୍ ଭୋଟିଂ ହେବ, କେହି ଜଣେ ବି ଭୋଟର ମତଦାନ ସୁଯୋଗରୁ ବଞ୍ଚିତ ହେବେନାହିଁ – ଜିଲ୍ଲାପାଳ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ବିଧାନସଭା ଉପନିର୍ବାଚନରେ ହୋମ୍ ଭୋଟିଂ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଫିସର୍, ଫାଷ୍ଟ ପୋଲିଂ ଅଫିସର୍ ଓ ମାଇକ୍ରୋ ନିରୀକ୍ଷକ ମାନଙ୍କୁ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ତାଲିମ୍ ପ୍ରଦାନ କରଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି କ୍ଷମାନିଧି ଭୋଇ ଓ ନିର୍ବାଚନ ଡେପୁଟୀ କଲେକ୍ଟର ଶେଖ୍ ନସିମ ଅଧିକାରୀ ମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବିଶଦ ଭାବରେ ବୁଝାଇଥିଲେ । ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନ୍ଙ୍କ ନିର୍ଦ୍ଦେଶ କ୍ରମେ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତାମାନେ ଏହି ସୁବିଧା ପାଇବେ । ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ସେମାନେ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ପୋଷ୍ଟାଲ ବେଲଟ ମାଧ୍ୟମରେ ଭୋଟ ଦେଇ ପାରିବେ । ଏଥିପାଇଁ ନିର୍ବାଚନ ସୂଚିତ ହେବା ପରେ, ଜଣେ ବୁଥ୍ ସ୍ତରୀୟ ଅଧିକାରୀ ଫର୍ମ ୧୨ଡ଼ି ପ୍ରଦାନ କରିବା ପାଇଁ ପଞ୍ଜିକୃତ, ଯୋଗ୍ୟ ଭୋଟରଙ୍କ ଘରକୁ ଯାଆନ୍ତି । ପାଞ୍ଚ ଦିନ ମଧ୍ୟରେ ଫର୍ମ ୧୨ଡ଼ି ପୂରଣ କରି ବିଏଲ୍ଓଙ୍କ ନିକଟରେ ଦାଖଲ କରିବାକୁ ପଡେ । ଭୋଟର ତାଲିକା ପ୍ରକାଶନ ପରେ ଭୋଟରଙ୍କୁ ଏସ୍ଏମ୍ଏସ୍ କିମ୍ବା ପୋଷ୍ଟ ମାଧ୍ୟମରେ ମତଦାନ ଦଳର ପରିଦର୍ଶନର ତାରିଖ ଏବଂ ସମୟ ବିଷୟରେ ସୂଚନା ଦିଆଯାଏ । ନିର୍ଦ୍ଧାରିତ ତାରିଖରେ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫରଙ୍କ ସହିତ ମତଦାନ ଅଧିକାରୀଙ୍କ ଏକ ଦଳ ଭୋଟରଙ୍କ ବାସଭବନ ପରିଦର୍ଶନ କରିବେ । ଭୋଟଦାତା ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ବ୍ୟବହାର କରି ଭୋଟ ଦେବେ । ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ପୋଲିଂ ଅଧିକାରୀମାନେ ପୋଷ୍ଟାଲ୍ ବାଲଟ୍ ସୁରକ୍ଷିତ ଭାବରେ ସଂଗ୍ରହ କରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବେ । ଏହି ପ୍ରକ୍ରିୟା ସମ୍ବନ୍ଧୀୟ ଅଧିକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଶ୍ରୀ ଧରୁଆ ଓ ଶ୍ରୀ ଭୋଇ ରଖିଥିଲେ । ନୂଆପଡାରେ ୩୦ ଅକ୍ଟୋବରରୁ ୨ ନଭେମ୍ବର ଭିତରେ ଏହି ହୋମ୍ ଭୋଟିଂ ହେବ । ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେମିତି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।