ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ତାମ୍ପରା ରିସୋର୍ଟ ରଙ୍ଗମହଲରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ସୌଜନ୍ୟରେ ଆୟୋଜିତ ଦୁଇଦିନିଆ ଅନ୍ତଃ ରାଜ୍ୟସ୍ତରୀୟ ଫେସନ୍-ସୋ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟସ୍ଥ ପର୍ଯ୍ୟଟନ ସ୍ଥଳ ମଧୁରଜଳ ହ୍ରଦ “ତାମ୍ପରା ବୋଟ୍ କ୍ଲବ୍” । ଯାହାକି ସୁରମ୍ୟ, ସବୁଜିମା ପ୍ରକୃତିର ଏକ ଅନବୈଦ୍ୟସ୍ଥଳ ଉପତ୍ୟକାରେ ଅବସ୍ଥାପିତ ତାମ୍ପରା ରିସୋର୍ଟରେ ଆୟୋଜିତ ମହିଳାମାନଙ୍କର ବିୟୁଟିସିୟାନ୍ ତାଲିମ୍ କର୍ମଶାଳା ସାଙ୍ଗକୁ ଫେସନ୍-ସୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ, ବିଭିନ୍ନସ୍ଥାନରୁ ତଥା ଛତିଶଗଡ଼, ଗୋଆ, ମୁମ୍ବାଇ ଏବଂ ବାଙ୍ଗାଲୋରରୁ ବିଭିନ୍ନ ବର୍ଗର ସୁନ୍ଦରୀ ମହିଳା, ଯୁବତୀ, ତରୁଣୀମାନଙ୍କୁ ନେଇ ଏବଂ ଭିନ୍ନକ୍ଷମ ଯୁବତୀ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏହି କର୍ମଶାଳା ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଲାଭ ହୋଇପାରିଛି । ଆୟୋଜିତ ଏହି ଦୁଇ ଦିନିଆ ତାଲିମ ଶିବିରରେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଭାସୀ ମାଧ୍ୟମରେ ଆତିଥ୍ୟ ଗ୍ରହଣ କରିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ଫେସନ୍ ଡିଜାଇନିଙ୍ଗରେ ପରିପାର୍ଟୀର ସମସ୍ତ ମହିଳାମାନଙ୍କୁ ସାଧୁବାଦ ଜଣାଇ ଶୁଭେଚ୍ଛା ଜ୍ଞାପନ କରିଥିବା ସାଙ୍ଗକୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ସବୁ ବର୍ଗର ନାରୀ, ଗ୍ରାହସ୍ଥ୍ୟ ମହିଳା ଓ ଦିବ୍ୟାଙ୍ଗ ମହିଳାମାନଙ୍କୁ ସୁଯୋଗ ଦିଆଯିବା ସହ ମହିଳାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ମେଗା ମଞ୍ଚ ଉପରେ ଫେସନ୍-ସୋ ଅଭିନୟ ପ୍ରଦର୍ଶନ କରିବାର ମହିଳାଙ୍କୁ ସୁଯୋଗ ପ୍ରଦାନ ନେଇ ଏହି ସଂଗଠନର ଏକ ଦିଗନ୍ତ ପ୍ରୟାସ ଜାରୀ ରହିଛି । ନାରୀର ଇଚ୍ଛା ଥାଏ, ହେଲେ କୌଣସି କାରଣରୁ ସେ ତା’ର ସ୍ୱାଧୀନ ଚିନ୍ତାଧାରାକୁ ଆଗକୁ ଆଣିବାରେ ସକ୍ଷମ ହୋଇନଥାଏ । ତାହାକୁ ଲୋକଲୋଚନକୁ ଆଣିବା ପାଇଁ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ଉପରେ ଅଭିନୟ କରିବା ସୁଯୋଗକୁ ପ୍ରାଧାନ୍ୟ ଦିଆଯିବାରେ ଭୁବନେଶ୍ୱରର ଜେମ୍ସ ଅଫ୍ ଓଡିଶା ପ୍ରଥମେ ଏହି ପ୍ରୟାସ ଆରମ୍ଭ କରିଥିଲା । ଛତ୍ରପୁର ତାମ୍ପରା ରିସୋର୍ଟ ରଙ୍ଗମହଲରେ ଆୟୋଜିତ ଭବ୍ୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଆଇନଜୀବି ଚନ୍ଦ୍ର ଶେଖର ରେଡ୍ଡୀ, ଜୁରୀ ମେମ୍ବର ଡକ୍ଟର ସୁନୀତା ୱାଧବନ, ଶ୍ରୀମତୀ ସୁଧା ଚନ୍ଦ୍ରାଣୀ ଖାତ୍ରୀ, ଡକ୍ଟର ଭୁବନେଶ୍ୱରୀ ଦେୱାନୀଗନ ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ତ ସଂଗଠନକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏଥିସହ ଏହାକୁ ବ୍ୟାପକ କରିବା ପାଇଁ ମତପୋଷଣ କରିଥିଲେ । ଅଙ୍କର ଶୁଭଜିତ୍ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ୨ଟି ଭାଗରେ ବିଭକ୍ତ କରାଯାଇଛି । ରାଣୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରୀଶକ୍ତି ଅନୁଷ୍ଠାନର ମୁଖ୍ୟ ଉମାକାନ୍ତ ଦାସ ଏବଂ ତାଙ୍କ ସହଧର୍ମିଣୀ ତଥା ସହଯୋଗୀ ମୁଖ୍ୟ ଅନୀତା ମଣ୍ଡଳ ଏହି ପ୍ରୟାସ ଆରମ୍ଭ କରିଥିଲେ । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଡକ୍ଟର ସୁନୀତା ୱାଧବନ, ଶ୍ରୀମତୀ ସୁଧା ଚନ୍ଦ୍ରାଣୀ ଖାତ୍ରୀ, ଡକ୍ଟର ଭୁବନେଶ୍ୱରୀ ଦେୱଙ୍ଗନ, ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଅନୀତା ମଣ୍ଡଳ, ଆୟୋଜକ ଉମାଶଙ୍କର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ସେଲିବ୍ରିଟୀ ବିଚାରକ ଭାବେ ଅଭିନେତା ହରିହର ଦାସ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ବ୍ରାଣ୍ଡ ଅମ୍ବାସଡର ଭାବେ ଅର୍ଚ୍ଚିତା ସାହୁ, ଉପସ୍ଥାପନାରେ ଶୁଭୋଜିତ ପଣ୍ଡା, ମିଡିଆ ପାର୍ଟନର ଭାବେ ଆମ ଟିଭି ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ୍ ହେଡ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ । ବିଭିନ୍ନ ବର୍ଗର ମହିଳା, ଯୁବତୀଙ୍କୁ ଏପରିକି ଦିବ୍ୟାଙ୍ଗମାନଙ୍କୁ ଗତ ୨ମାସ ଧରି ପ୍ରଶିକ୍ଷିକଙ୍କ ଦ୍ୱାରା ଯୋଗ, ବିୟୁଟିସିୟାନ୍ ସହ ଅନ୍ୟାନ୍ୟ ଇଭେଣ୍ଟରେ ତାଲିମ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜୁରୀ ମାନଙ୍କ ଦ୍ୱାରା ମନୋନୀତ ହୋଇଥିବା କୃତୀ ପ୍ରତିଯୋଗୀମାନେ ଫାଇନାଲ ରାଉଣ୍ଡରେ ଭାଗ ନେଇଥିଲେ ।
Prev Post