ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ

  • “ପାଉଁଶରୁ ଫୁଲ” ନାଟକ ଶ୍ରେଷ୍ଠ ବିବେଚିତ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । “ମାନବ ଜାତିର ହିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା” ବିଷୟ ଉପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନାଟକ ପରିବେଷଣ କରିଥିଲେ । ବିଚାରକ ରୂପେ ଅବସରପ୍ରାପ୍ତ ଶିକ୍ଷକ ତଥା ନାଟ୍ୟକାର ନୀଳାଞ୍ଚଳ ଚିର୍ଗୁନ ଓ ମିର୍ଦ୍ଧାପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ନାୟକ ଯୋଗଦେଇଥିଲେ । ବିଜ୍ଞାନ ନିରୀକ୍ଷକ ନବଘନ ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ସହ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାର ଆଭିମୁଖ୍ୟ ଓ ପ୍ରତିଯୋଗିତାର ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ଏହି ପ୍ରତିଯୋଗିତାରେ ଅଏଁଲାଚୁଆଁ ହାଇସ୍କୁଲର ନାଟକ ‘ପାଉଁଶରୁ ଫୁଲ’ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବୁବେଲ ହାଇସ୍କୁଲର ନାଟକ ‘କୃଷକର ସପନ ଚାଷରେ ପରିବର୍ତ୍ତନ ଦ୍ଵିତୀୟ ସ୍ଥାନ ଓ ଲୋଇସିଂହା ବ୍ଲକ ଓଏଭି, ଝାରମୁଣ୍ଡାର ନାଟକ ‘ସ୍ମାର୍ଟ ଏଗ୍ରୀକଲଚର’ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରେଷ୍ଠ ନିର୍ଦେଶକ ଭାବେ ଶ୍ରୀକୃଷ୍ଣ ପଟେଲ ଓ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ଶର୍ମିଷ୍ଠା ହୋତାଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଆମର ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଆମ ଜୀବନକୁ ସହଜ କରିବା ସହ ମାନବତାର ରକ୍ଷକ ଭାବେ ଠିଆ ହୋଇଛି ବୋଲି କହିବା ସହ ବିଜ୍ଞାନର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଏଡିଇଓ ରୀନା କୁମାରୀ ବେହେରା, ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଜୟକୃଷ୍ଣ ନାଏକ । ପ୍ରଥମ ସ୍ଥାନ ଅଧିକାର କରିଥିବା ନାଟକ ଆସନ୍ତା ୨୫ତାରିଖରେ ବୌଦ୍ଧ ଜିଲ୍ଲାର ଟାଉନ ହଲ ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.