ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରାଇବା ସହ ସାଇବର ସୁରକ୍ଷା ସଚେତନତାର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଶୁଭାରମ୍ଭ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଏମଏସସିବି ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରର ସୁମତି ସିଂ ଓ ପଞ୍ଚମ ବାଟାଲିୟନ କାମାଣ୍ଡାଣ୍ଟ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରେ ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିବ । ଏହି ସାଇବର ସୁରକ୍ଷା ସଚେତନତା ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ସବୁ ବର୍ଗର ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା । ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ଶୈଳୀ ଭିତରେ ସରକାରୀ ସ୍ତରରେ ହେଉ ବା ବ୍ୟକ୍ତିଗତ ସ୍ତରରେ ହେଉ ବା ସାମାଜିକ ସ୍ତରରେ ହେଉ, ଦୈନନ୍ଦିନ ଜୀବନରେ ଇଣ୍ଟେର୍ନେଟ ସାଙ୍ଗକୁ ସ୍ମାର୍ଟ ଫୋନର ବ୍ୟବହାର ଓ ଅନଲାଇନ କାର୍ଯ୍ୟକଳାପ ଅପରିହାର୍ଯ୍ୟ ହୋଇପଡିଛି । ମାତ୍ର ଏହାକୁ ଯଦି ଆମେ ସତର୍କତା ସହ ସୁରକ୍ଷିତ ଭାବେ ବ୍ୟବହାର ନକରୁ ତେବେ ଠକାମିର ଶିକାର ହେବା । ପରିବର୍ତ୍ତିତ ସମୟ ଅନୁସାରେ ସାଇବର ଠକମାନେ ମଧ୍ୟ ନୂତନ ଅଭିନଵ ଉପାୟ ଅବଲମ୍ବନ କରି ଲୋକମାନଙ୍କୁ ସେମାନଙ୍କର ଶିକାର ବନଉଛନ୍ତି । ସାଇବର ଠକାମୀର ଶିକାର ହେବାର ପ୍ରମୁଖ କାରଣ ହେଉଛି ଲୋଭ, ଭୟ ଓ ଦାୟିତ୍ୱହୀନତା । ମାଗଣାରେ କିମ୍ବା କମ ଦାମରେ ଅଧିକ ଲାଭ ପାଇବା ଆଶାରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେଣନେଣ କରିବା କିମ୍ବା କୌଣସି ମିଛ ଫୋନ କଲ୍ ପାଇ ଭୟାତୁର ହୋଇ କିଛି ତର୍ଜମା ନକରି ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରି ସାଇବର ଠକାମୀର ଶିକାର ହେବାକୁ ପଡେ । ତେଣୁ ଆମେ ସମସ୍ତେ ସଚେତନ ହେବା, ସତର୍କ ରହିବା ଏବଂ ସୁରକ୍ଷିତ ରହିବା । ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକ ମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢ଼ିଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତାଇବା, ଭୟ ଦେଖାଇ ଯୌନ ଶୋଷଣ କରିବା , ମହିଳା ଓ କିଶୋରୀମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ , ଗ୍ରାମ ଓ ସେମି ଅର୍ବାନ ଅଂଚଳରେ ପ୍ରଥମ କରି ସ୍ମାର୍ଟ ଫୋନ ବ୍ୟବହାରକାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରିବା, ଏସ ଏଚ ଜି ଏବଂ ଗୋଷ୍ଠୀ ଗ୍ରୁପକୁ ସମୂହ ଡିଜିଟାଲ ଦେଣନେଣ, ଫେକ ଋଣ, ନକଲି ପୁଞ୍ଜି ନିବେଶ ବାବଦରେ ଏବଂ ବ୍ୟବସାୟୀ ଓ ବୃତ୍ତିଧାରୀଙ୍କୁ ଡାଟା ସିକୁରିଟି, ବୃତ୍ତିଗତ ଶୋଷଣରୁ ସୁରକ୍ଷା, ଡିଜିଟାଲ ପେମେଣ୍ଟରେ ସତର୍କତା ଇତ୍ୟାଦି ସମ୍ବନ୍ଧରେ ସଚେତନ କରାଯିବ । ଏହି ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯଥା ସାଇବର ସୁରକ୍ଷା ପ୍ରଚାର ପତ୍ର, ଭିଡ଼ିଓ ପ୍ରଦର୍ଶନ, ରେଡ଼ିଓ ଜିଙ୍ଗଲ, ସୁରକ୍ଷା ମେସେଜ୍, ଡିବେଟ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ନୁକ୍କଡ଼ ନାଟକ, ସଚେତନତା ରଥ ପରିକ୍ରମା, ପଦଯାତ୍ରା, ସାଇକେଲ ଯାତ୍ରା, ସ୍ପଟ କୁଇଜ଼, ସାଇବର ଅପରାଧ ଉପରେ ସମ୍ମିଳନୀ, ଅନଲାଇନ କୁଇଜ଼, ରିଲ ମ୍ୟାକିଙ୍ଗ ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯିବ । ମାତ୍ର ଜନ ସଚେତନତା କେବଳ ପୋଲିସ ବିଭାଗ ଦ୍ୱାରା ସମ୍ଭବ ନୁହେଁ ବରଂ ସମସ୍ତଙ୍କ ସହଭାଗୀତାରେ ଏହାର ସଫଳ ରୂପାୟନ ସମ୍ଭବ ହେବ ବୋଲି ଆଶାବ୍ୟକ୍ତ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ର ଛାତ୍ରୀ, ସ୍ୱେଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।