ବାରିପଦା, (ଦେବସ୍ମିତ ଚୌଧୂରୀ) : ଭାରତ ସରକାରଙ୍କ ଜନଜାତି ମନ୍ତ୍ରାଳୟ ତଥା ଡ. ରାମଦୟାଲ ମୁଣ୍ଡା ଜନଜାତି କଲ୍ୟାଣ ଓ ଗବେଷଣା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଝାଡ଼ଖଣ୍ଡର ରାଞ୍ଚିଠାରେ ପ୍ରଥମ ଜନଜାତୀୟ ଫିଲ୍ମ ଫେଷ୍ଟିଭାଲ୍–୨୦୨୫ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ଭାରତର ୧୫ଟି ରାଜ୍ୟରୁ ୧୪୨ ଟି ସଂସ୍ଥା ପଞ୍ଜିକରଣ କରିଥିବାବେଳେ ୫୨ଟି କ୍ଷୁଦ୍ର ଓ ପ୍ରାମାଣିକ ଚଳଚିତ୍ର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା ଓ ସେଥି ମଧ୍ୟରୁ ଓଡିଶାର ୪ଟି କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ ରମେଶ ହେମ୍ବ୍ରମଙ୍କ “ପୁଇସା ଦାରେ” ୨ୟ ଏବଂ ଦୀପକ କୁମାର ବେଶ୍ରାଙ୍କ “ପପାୟା” ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଓଡିଶା ପାଇଁ ସୁନାମ ଆଣିଛନ୍ତି । ତତ୍ସହିତ ଓଡିଶାର ଅନ୍ୟ ଦୁଇଟି ଫିଲ୍ମ ଶ୍ୟାମା ସୁନ୍ଦର ମାଝିଙ୍କ “ବ୍ରେକିଙ୍ଗ ଦି ବାରିୟାର୍ସ” ଓ ରାଜମୋହନ ସୋରେନଙ୍କ “ହେଣ୍ଡେ ସୋନା” ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଝାଡ଼ଖଣ୍ଡ ସରକାରଙ୍କ ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଚମର ଲିଣ୍ଡା, ଜନଜାତି କଲ୍ୟାଣ ଓ ଗବେଷଣା ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଓ ରାଓନ ତଥା ଫିଲ୍ମ ନିର୍ମାତା ମେଘନାଦ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଓଡିଶାର ଏହି ଫିଲ୍ମ ନିର୍ମାତା ମାନେ ବିଭିନ୍ନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
Next Post