ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଆସି ଆଧାର କାର୍ଡ ସହ ଯାବତୀୟ ପ୍ରମାଣପତ୍ର ସଂଗ୍ରହ କରି ଉଠାଇ ନେବା ପରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଖବର ପାଇବା ପରେ ଶୁକ୍ରବାର କୋଟଗଡ ଥାନାକୁ ଉକ୍ତ ମାଓ ପ୍ରବଣ ଅଞ୍ଚଳର ଶତାଧିକ ମହିଳା ପୁରୁଷ ନିଜର ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ବ୍ଲକର ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଦୁର୍ଗାପଙ୍ଗା ପଞ୍ଚାୟତର ଡ଼ିମିଲି, ବାଡ଼ିପଙ୍ଗା, ମେରାଗୁଡ଼ି, ଡେଙ୍ଗୁଡ଼ିପଦର, ଭାଲୁଗୁଡା, ସୁକେରପଦର, ଲିଡରାଙ୍ଗ, ସିନ୍ଧେବାଲି, କାଣିବାରୁ, ପାଇରମାଲା, ବନ୍ଦ୍ରାସଲା, ବଲାମପଙ୍ଗା, ବୁଦୃଙ୍ଗ ଅଂଚଳର ଶତାଧିକ ମହିଳା ପୁରୁଷ ଆସି ସମଗ୍ର ଥାନା ଅଞ୍ଚଳକୁ ଘେରିଥିଲେ । ଘଟଣାରୁ ପ୍ରକାଶ ଯେ, ଉକ୍ତ ମାଓ ପ୍ରବଣ ଅଞ୍ଚଳରେ କେହି ଦୁଇ ଜଣଙ୍କୁ ପୁଲିସ ଉଠାଇଛି ଆଉ ଆଗକୁ ଯେଉଁ ମାନଙ୍କର ନାମ ତାଲିକାରେ ଅଛି ସେମାନଙ୍କୁ ମଧ୍ୟ ଉଠାଇ ନିଆଯିବ ବୋଲି ଉକ୍ତ ଅଜଣା କିଛି ବ୍ୟକ୍ତି କହୁଥିବା ବେଳେ ଭୟରେ ଗାଁ ଗଣ୍ଡା ଛାଡି କୋଟଗଡ ଥାନାକୁ ସୁରକ୍ଷା ମାଗିବାକୁ ଆସିଥିବା ବିଷୟ ଅଞ୍ଚଳର କୁଇ ସାମଜ ସଭାପତି ରଘୁନାଥ ମାଝୀ ପ୍ରକାଶ କରିଛନ୍ତି । ଖବର ପାଇବା ପରେ ଉକ୍ତ ଘଟଣାକୁ ଶାନ୍ତ କରିବାକୁ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କଠୁ ସବୁ ଶୁଣିବା ପରେ ସୁରକ୍ଷା ଦିଗରେ ପୁଲିସ କାମ କରୁଥିବାରୁ କୌଣସି ଭୟଭୀତ ନ ହେବାକୁ କହିଥିଲେ । ତେବେ ଏପଟେ କୋଟଗଡ, ତୁମୁଡିବନ୍ଧ ଥାନାର କିଛି ଛକରେ ଛତିଶଗଡ ଭାଷାରେ ଲେଖା ଥିବା ପୋଷ୍ଟର ଦେଖିବାକୁ ମିଳିଛି । ସେଥିରେ ଓଡିଶା ପୁଲିସ ତରଫରୁ ପୋଷ୍ଟର ଜାରି ହୋଇଥିବା ଲେଖା ହୋଇଥିବା ବେଳେ କିଛି ମାଓବାଦୀଙ୍କ ଫୋଟୋ ଜାରି ହୋଇଥିବାରୁ ସାଧାରଣରେ ନାନା କଳ୍ପନା ଜଳ୍ପନା ଲାଗିରହିଥିବା ଜଣାପଡିଛି ।