ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଏକ ଅଗ୍ରଣଷ ଶିକ୍ଷାନୁଷ୍ଠାନ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ପ୍ରସ୍ତୁତି ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଏହି ବିଦ୍ୟାଳୟର ମିଳିତ ଉଦ୍ୟମରେ ହୀରକ ଜୟନ୍ତୀ ସମାରୋହର ଆୟୋଜନ କରିବା ପାଇଁ ପୁରାତନ ଛାତ୍ରୀ, ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀମାନେ ଏଥିରେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ସ୍ମରଣିକା ପ୍ରକାଶନ କରିବା ପାଇଁ ମଧ୍ୟ ମତପ୍ରକାଶ ପାଇଥିଲା । ଏହି ବୈଠକରେ ସ୍କୁଲ କମିଟିର ସଭାନେତ୍ରୀ ସୁଶ୍ରୀ ଆନନ୍ଦିନୀ ଦର୍ଜି ଜୁବଲି ପାଳନର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ସ୍ୱାଇଁ ଉକ୍ତ ବିଦ୍ୟାଳୟର ଇତିହାସ ସଂପର୍କରେ ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ୍ ମନୋରଂଜନ ସାହୁ ଆଗାମୀ ହୀରକ ଜୟନ୍ତୀର ଆୟୋଜନ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବା ସହ ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ସ୍ଥାନୀୟ ସିଆର୍ସିସି ତଥା ପୁରାତନ ଛାତ୍ରୀ ବିଜୟିନୀ ଦାନୀ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ସ୍କୁଲର ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ, କୃଷ୍ଣଚନ୍ଦ୍ର ବାଗ, ସୁଭଶ୍ରୀ ଭୋଇ, ଅନୁଷ୍କା କୁମ୍ଭାର, ପୁନମ ରଣା, ବନୀତା ତରିଆ, ମନୀଷା ସାହୁ, ଗୀତାଞ୍ଜଳି ମାଝି, ଅରୁନ୍ଧତୀ ବଢେଇ ଓ ଅନୀତା ସିଂ ପ୍ରମୁଖ ନିଜର ମତାମତ ପ୍ରଦାନ କରିଥିଲେ । କମିଟିର ସଂପାଦିକା ଝୁନିଲତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Prev Post