ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା “ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା (ପିଏମ- ଡିଡିକେୱାଇ)” ଏବଂ “ଡାଲିରେ ଆତ୍ମନିର୍ଭରତା ପାଇଁ ମିଶନ”ର ଜାତୀୟ ଶୁଭାରମ୍ଭ ଅବସରରେ, ଆଇସିଏଆର– ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲ୍ଚର (ଆଇସିଏଆର- ସିଆଇଡବ୍ଲୁଏ), ଭୁବନେଶ୍ୱର ଦ୍ୱାରା ଏକ ବିଶେଷ ଲାଇଭ୍ ୱେବକାଷ୍ଟ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରତିଷ୍ଠାନର କର୍ମଚାରୀ ଓ ଜନପ୍ରତିନିଧିଙ୍କ ସମେତ ପ୍ରାୟ ୬୦୦ରୁ ଅଧିକ ମହିଳା କୃଷକ ଅଂଶଗ୍ରହଣ କରିଥିଲେ । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମାଧ୍ୟମରେ ଭାରତ ସରକାରଙ୍କ ନୂତନ କୃଷି ଯୋଜନା, ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଏବଂ ଚାଷୀ ଉନ୍ନୟନ ପ୍ରୟାସ ବିଷୟରେ ଜାଣି ଲାଭାନ୍ୱିତ ହୋଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଆଇସିଏଆର- ସିଆଇଡବ୍ଲୁଏର ନିର୍ଦ୍ଦେଶିକା ଡା. ମୃଦୁଲା ଦେବୀ, ପିଏମ- ଡିଡିକେୱାଇ ଯୋଜନାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି, ଫସଲ ବିବିଧତା, ସ୍ଥାୟୀ କୃଷି ପ୍ରଣାଳୀ, ଜଳସେଚନ ସୁବିଧା ଏବଂ ଋଣ ସୁଲଭତାରେ ଉନ୍ନତି ଆଣାଯିବ । ପିଏମ- ଡିଡିକେୱାଇର ମୂଖ୍ୟ ଲକ୍ଷ୍ୟ ହେଉଛି- ଡିଏ ଆଣ୍ଡ ଏଫ୍‌ଡବ୍ଲୁ, ସହଯୋଗୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବିଦ୍ୟମାନ ଯୋଜନାଗୁଡ଼ିକୁ ସମନ୍ୱୟ କରି ୧୦୦ଟି ଜିଲ୍ଲାରେ କୃଷି ମାନଚିତ୍ର ଉନ୍ନତ କରିବା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା “ଡାଲିରେ ଆତ୍ମନିର୍ଭରତା ପାଇଁ ମିଶନ” ଦେଶରେ ଡାଲି ଉତ୍ପାଦନ ବୃଦ୍ଧି, ଚାଷ କ୍ଷେତ୍ର ବିସ୍ତାର, କ୍ରୟ, ସଂରକ୍ଷଣ ଓ ପ୍ରକ୍ରିୟାକରଣ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ । ୱେବକାଷ୍ଟ ସମାପ୍ତି ପରେ, ମହିଳା କୃଷକମାନଙ୍କ ପାଇଁ ବିଶେଷ ଆଲୋଚନା ସଭା ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ପିଏମ- ଡିଡିକେୱାଇ ଯୋଜନାର ପ୍ରଭାବ, ରବି ଫସଲର ଉନ୍ନତ ଚାଷ ଅଭ୍ୟାସ, ପ୍ରାକୃତିକ କୃଷି, ଜାତୀୟ କୀଟପତଙ୍ଗ ନିରୀକ୍ଷଣ ପ୍ରଣାଳୀ (ଏନପିଏସଏସ), କୃଷକ ଅଭିଯୋଗ ସମାଧାନ ପୋର୍ଟାଲ ଏବଂ ଜିଏସଟି ହ୍ରାସ ଲାଭ ବିଷୟରେ ସଚେତନତା ଆଲୋଚନା ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ଲକୃଷିକୁ ଆଧୁନିକ ଓ ସୁସ୍ଥାୟୀ ଦିଗକୁ ନେବା ଲକ୍ଷ୍ୟରେ ଏପରି ଐତିହାସିକ ପଦକ୍ଷେପ ଗ୍ରହଣ ପାଇଁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.