ନୃସିଂହନାଥରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୋସିଏଲ ଡାକ ବଙ୍ଗଳା ସଭା ଗୃହ ଠାରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଆଇନଜୀବୀ ଅଜିତ ଶତପଥୀଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡିଶାର କୋଶଳ ରାଏଜ୍‌ ସମନ୍ୱୟ ସମିତ, କୋଶଳ ରାଏଜ୍‌ ମୁକ୍ତି ମୋର୍ଚ୍ଚା, କୋଶଳ ସେନା, ସଂଯୁକ୍ତ କୃଷକ ସଙ୍ଗଠନ, କୋଶଳ କ୍ରାନ୍ତି ସେନା, କୋଶଳ ମୁକ୍ତି ବାହିନୀ, ମାହେଶ୍ୱରୀ ସେନା, ସ୍ୱାଭିମାନ ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ଆଦି ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦାନ କରି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଆଗାମୀ ୧୯ ତାରିଖ ଦିନ ବରଗଡ ଠାରେ ସବୁ କୋଶଳବାଦୀ ସଂଗଠନକୁ ନେଇ ଏକ ବୈଠକ କରାଯାଇ କୋଶଳ ମହାବନ୍ଦ ବିଷୟରେ ଆଲୋଚନା କରାଯିବ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ଅବହେଳିତ ପଶ୍ଚିମ ଓଡିଶା ସବୁବେଳେ ଉପେକ୍ଷିତ ହୋଇ ରହିଛି । ସର୍ବଭାରୀତୀୟ ବେକାରୀ ଓ ଦାରିଦ୍ୟ ହାର ଠାରୁ ଏଠାରେ ବେକାରୀ ଓ ଦରିଦ୍ର୍ୟତା ଉତ୍କଟ ସ୍ଥିତିରେ ରହିଛି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଆଜି ପର୍ଯ୍ୟନ୍ତ ବିକାଶ ପୂର୍ବ ଓଡିଶା ତୁଳନାରେ ହୋଇପାରି ନାହିଁ । ଜଳ, ଜମି, ଜଙ୍ଗଲ, ଖଣି ଖାଦାନ ପଶ୍ଚିମ ଓଡ଼ିଶାରେ ସବୁବେଳେ ଶୋଷିତ ହୋଇଚାଲିଛି । କର୍ମନିଯୁକ୍ତି ଅଭାବରୁ ଶିକ୍ଷିତ ଯୁବକ ତଥା ଚାଷୀମାନେ ମଧ୍ୟ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ପଳାଉଛନ୍ତି । ଏହି ଅଞ୍ଚଳରୁ ସରକାର ଯେତିକି ରାଜସ୍ୱ ଆଦାୟ କରନ୍ତି ତାହାର ସିଂହଭାଗ ଉପକୂଳ ଅଂଚଳର ବିକାଶରେ ଖର୍ଚ୍ଚ ହୁଏ । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ଗମନାଗମନ ସବୁ କ୍ଷେତ୍ରରେ ଅସମତୁଳ ବିକାଶ ଓ ଭିତ୍ତଭୂମି ଅଭାବର ପ୍ରତିବାଦ କରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀ ବହୁ ଦିନରୁ ହୋଇଆସୁଛି । ପଶ୍ଚିମ ଓଡିଶାର ଉନ୍ନତି ପାଇଁ ବିକାଶ ପରିଷଦ ଗଠନ କରାଯାଇଥିଲା, ମାତ୍ର ତାହା ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି । ଅର୍ଥନୈତିକ ସ୍ୱୟଂତ୍ତତା ବିନା ଏହା ମୂଲ୍ୟହୀନ । ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅଟୋନୋମାସ ଅନୁଷ୍ଠାନ କରି ଏଥିରେ ନିର୍ବାଚନ ଜରିଆରେ ଅଧ୍ୟକ୍ଷ ଓ ସଭ୍ୟପଦ ପୂରଣ କରିବା ସହିତ ଏହାର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ ସ୍ଥାପନ ପାଇଁ ସଭାରେ ଦାବୀ ଉଠିଥିଲା । ବିଭିନ୍ନ କୋଶଳବାଦୀ ସଂଗଠନ ସ୍ୱତନ୍ତ୍ର ରାଜ୍ୟ ଦାବୀ ପାଇଁ ଆନ୍ଦୋଳନ କରିଆସୁଛନ୍ତି । ବତ୍‌ର୍ତ୍ତମାନ ସମୟ ଆସିଛି ସବୁ ସଂଗଠନ ଗୋଟିଏ ଛତା ତଳେ ଏକତ୍ରିତ ହୋଇ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନ ଦାବୀକୁ ତୃଣମୂଳ ସ୍ତରରୁ ସ୍ୱର ଉତ୍ତୋଳନ ସହ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ସମସ୍ତ ଜାତି, ଧର୍ମ,ଶ୍ରେଣୀର ସଂଗଠନ ମାନଙ୍କୁ ଏକତ୍ରିତ କରି ଆନ୍ଦୋଳନକୁ ଆହୁରି ଜୋରଦାର କରିବା । ଏହିଦୃଷ୍ଟିରୁ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ପାଇଁ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା । କୋଶଳ ରାଜ୍ୟ ଆନ୍ଦୋଳନ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ପଶ୍ଚିମ ଓଡ଼ିଶାର ମହାନ ପର୍ବ ପୁଷ୍‌ପୁନି ଦିନ ସବୁ କୋଶଳବାଦୀ ସଂଗଠନମାନେ ଗାଁ ଗାଁରେ ଛେରଛେରା ମାଗି ପାଣ୍ଠି ଯୋଗାଡ଼ କରିବେ । ସମସ୍ତ ଜ଼ିଲ୍ଲାରେ ସଚେତନତା ସଭା ସହ ଛାତ୍ର, ଯୁବକ ମାନଙ୍କ ଏକ ମହାସଭା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଦିଲ୍ଲୀରେ ଏକ ସମାବେଶ କରି କେନ୍ଦ୍ର ସରକାରଙ୍କ ପାଖରେ ସମ୍ବିଧାନର ଧାରା ୨ ଅନୁଯାୟୀ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବୀ ଉପସ୍ଥାପନ କରାଯିବ । ପରେ କୋଶଳ ସେନା ସଭାପତି ସୁଦାମ ପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.