- ନିଶା ଇଞ୍ଜେକସନ ପାଖାପାଖି ୩ ଲକ୍ଷ ଟଙ୍କା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ପୋଲିସକୁ ମିଳିଛି ବଡ ଧରଣର ସଫଳତା । ପୋଲିସ ୨୫୯୮ଟି ନିଶା ଇଞ୍ଜେକସନ, ଏକ ଜାଇଲୋ କାର ଗାଡି ନଂ (ଓଆର୍୧୫ ଆର୍ ୭୬୬୬), ଗୋଟିଏ ବୁଲେଟ ଗାଡି ନଂ (ଓଡି୧୭ ଏସ୍ ୫୬୫୩), ଗୋଟିଏ ସ୍କୁଟି ଗାଡି ନଂ (ଓଡି ୧୭ ୟୁ ୬୭୮୯) ସହ ୬ ଜଣ ଅଭିଯୁକ୍ତଙ୍କୁ ପାଇକମାଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର ସୂଚନା ଦେଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଭୁବନେଶ୍ଵର ଦେଇ ନିଶା ସାମଗ୍ରୀ ଆଣୁଥିବା ବିଶେଷ ସୂତ୍ରରୁ ଖବର ପାଇ ପାଇକମାଲ ପୁଲିସ ପଦ୍ମପୁର ପାଇକମାଲ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ରାସ୍ତାରେ ଥିବା ନିଶାନୀ ଗୁଡ଼ି ମନ୍ଦିର ସାମ୍ନାରେ ସନ୍ଦେହ କରି ଏକ ଜାଇଲୋ କାରକୁ ଅଟକାଇ ଥିଲା ଓ ବିପୁଳ ନିଶା ସାମଗ୍ରୀ ଜବତ କରିଥିଲା । ଗାଡିରୁ ୨୫୯୮ ଗୋଟି ନିଶା ଇଞ୍ଜେକସନ, ୬ ଗୋଟି ମୋବାଇଲ, ଗୋଟିଏ ବୁଲେଟ, ଗୋଟିଏ ସ୍କୁଟିକୁ ଜବତ କରିଛି । ୬ ଜଣ ଅଭିଯୁକ୍ତ ହେଲେ ପାଇକମାଲ ଥାନା କଲୋନୀ ପଡାର ଉମେଶ ସାହୁ (୨୮), କଟାପଡାର ମଦନ ବରିହା (୩୫), ମାଲପଡାର ସାନନ୍ଦ ସେଠ (୨୭), କଲୋନୀ ପଡାର ହୁସେନ ଖାନ୍ (୪୭), ବନମାଳର ଶୋଭାଚନ୍ଦ୍ର ସାହୁ (୨୯), ଟେମରୀର ହରେକୃଷ୍ଣ ବନଛୋର (୩୫) । ଏନେଇ ପାଇକମାଲ ଥାନାରେ କେସ ନଂ ୨୪୧/୨୦୨୫ ୟୁ/ଏସ- ୨୧(ବି)/୨୫ ଏନ୍ଡିପିଏସ୍ ଆକ୍ଟ/ ୧୧୧(୨)(ବି) ବିଏନ୍ଏସ୍ ମାମଲାରେ ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ଉମେଶ ସାହୁ, ସାନନ୍ଦ ସେଠ, ହରେକୃଷ୍ଣ ବନଛୋରଙ୍କ ନାମରେ ବିଭିନ୍ନ ମାମଲା ମକଦ୍ଦମା ରୁଜୁ ହୋଇଛି । ନିଶା ସାମଗ୍ରୀ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର, ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ, ଏସ୍ଆଇ ବିରେନ୍ଦ୍ର ବାଗଙ୍କ ସମେତ ପୋଲିସ ବିଭାଗର ଅଧିକରୀମାନେ ଉପସ୍ଥିତ ଥିଲେ ।