ବର୍ଣ୍ଣାଢ଼୍ୟ ପଟୁଆରରେ କଳ୍ପବାସିନୀପୀଠର ଭସାଣୀ ଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ରିକାପଲ୍ଲୀ ସାହିସ୍ଥ କଳ୍ପବାସିନୀପୀଠର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ନବରାତ୍ର ପୂଜା ଏବଂ ବିଜୟା ଦଶମୀ ଖୁବ୍ ଉତ୍ସବମୁଖର ଭାବେ ସମାହିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାବେଳେ ଆରତୀ ବନ୍ଦାପନା ପରେ ଷୋଡ଼ଶ ଉପଚାରର ପୂଜା, ଘଟ, କଳସ, ଗଜାମୁଗ ଚାଙ୍ଗୁଡ଼ି ଆଦି ମହିଳାମାନେ ମସ୍ତକରେ ଧରି ନିକଟସ୍ଥ ଜଳାଶୟରେ ବିସର୍ଜନ କରିଥିଲେ । ମା’ ବୁଢ଼ୀ ଠାକୁରାଣୀଙ୍କ ନବଦୁର୍ଗା ପୂଜା ଭସାଣୀ ଅବସରରେ ବର୍ଣ୍ଣାଢ଼୍ୟ ପଟୁଆରରେ ବାହାରି ସହର ପରିକ୍ରମା କରି ରିକାପଲ୍ଲୀ ଗେଟ୍ ବନ୍ଧ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । ନାନା ବଦ୍ୟଧ୍ଵନି, ରୋଶଣୀରେ ଘଣ୍ଟଦଳ, ମୃଦଙ୍ଗ, ଶଙ୍ଖ, ଝାଞ୍ଜ, ଢ଼ୋଲ, ଚାଙ୍ଗୁବାଦ୍ୟରେ ବର୍ଣ୍ଣାଢ଼୍ୟ ପଟୁଆରର ବାହାରିଥିଲା । ଛତ୍ରପୁର ସହର ପରିକ୍ରମଣ ବେଳେ ବାଦ୍ୟ-ବାଜାଣାରେ ସହରଟି ସାରା ମୁଖରୀତ ହୋଇ ଉଠିଥିଲା । ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ପରମ୍ପରାରେ ରଣପା କାଳୀଙ୍କ ନାଚ ବେଶ୍ ପ୍ରସିଦ୍ଧ ଅଟେ । ଏଥି ନିମନ୍ତେ ତିନୋଟି ରଣପା କାଳୀଙ୍କ ନାଚ ଏହି ବର୍ଣ୍ଣାଢ଼୍ୟ ପଟୁଆରରେ ବାହାରିଥିଲା, ଯାହା ବେଶ୍ ଆକର୍ଷଣୀୟ ଥିଲା । ରଣପା କାଳୀ ଠାକୁରାଣୀଙ୍କ ସହଚରୀ ଅଟନ୍ତି, ତେଣୁ ଏଠାକାର ଦେବୀ ଭଗବତୀଙ୍କ ଘଟଯାତ୍ରାବେଳେ ଦେବୀଙ୍କ ମେଲାଣି, ଭସାଣୀ ବେଳେ ରଣପା କାଳୀଙ୍କ ନାଚ ପ୍ରଚଳିତ କରିବା ବିଧି ରହିଛି । ଏହା ସାଂଗକୁ ଏହି ଭସାଣୀ ଯାତ୍ରାରେ ସିଂଙ୍ଘ ବାଦ୍ୟ, ବାଘନାଚ, ବୃଷଭ ନୃତ୍ୟ, ଧୁମ୍ ତାଡକା, ଆଧୁନିକ ନୃତ୍ୟ ଆଦି ଦେବୀଙ୍କ ଭସାଣୀ ଯାତ୍ରାକୁ ସରଗରମ କରିଦେଇଥିଲା । ଭସାଣୀ ଯାତ୍ରା ପରେ ସମସ୍ତେ ସ୍ଵାଦିଷ୍ଟ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିରେ ଘରକୁ ଫେରିଥିଲେ । ମନ୍ଦିର କମିଟିର ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲି ଏହି ବ୍ୟାପକ କାର୍ଯ୍ୟକ୍ରମର ମୁଖ୍ୟଦାୟିତ୍ଵ ବହନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜା କମିଟିର ସଭାପତି ସୁନୀଲ କୁମାର ଗୌଡ଼, ସମ୍ପାଦକ ବିଜୟାନନ୍ଦ ନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ଚନ୍ଦ୍ରଶେଖର ବେହେରା, ଟୁଲୁ ଦୋରା, ଡି. ସୁରେଶ ରେଡ୍ଡୀ, ଜୟନ୍ତ କୁମାର ବେହେରା, ବରିଷ୍ଠ ନାଗରିକ ସିମାଦ୍ରୀ ଚୌଧୁରୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଏହି କାର୍ଯ୍ୟକ୍ରମରେ ନୀତିନିଷ୍ଠା ଭାବେ ସୁପରିଚାଳନାର ସହ ଦାୟିତ୍ଵ ନିର୍ବାହ କରିବାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ନବରାତ୍ର ପୂଜା ପାର୍ବଣ ଛତ୍ରପୁର ସହରର ଏକ ନିଆରା ପରମ୍ପରା ଭାବେ ପ୍ରତିବର୍ଷ ଆୟୋଜିତ ଓ ପ୍ରଚଳିତ ହୋଇ ଆସୁଅଛି ।

Leave A Reply

Your email address will not be published.