ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ତଥା ଜିଲ୍ଲାର ସୀମାନ୍ତ ଗାଁ ମାଣ୍ଡୋସିଲ । କାହିଁ ଆବାହନ କାଳରୁ ଏହି ଗାଁରେ ଦୁର୍ଗାପୂଜା ହୋଇଆସୁଅଛି । ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଏ ବର୍ଷକୁ ଧରି ୭୪ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ପୂଜା ପାଇଁଁ ରବିବାର ପୂଜା କମିଟି ତଥା ଗ୍ରାମବାସୀମାନଙ୍କ ସହଯୋଗରେ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ସୋମବାର ଗାଁର ମା’ ମାଉସୀ ତଥା ଗ୍ରାମବାସୀ ମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା କରି ପୂଜାର୍ଚ୍ଚନା ପରେ ପୂର୍ଣ୍ଣ ଜଳ କଳସ ଆଣି ଦେବୀ ମଣ୍ଡପରେ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହେବ । ଏ ବର୍ଷ ପୂଜା କର୍ତ୍ତା ଭାବରେ ଉପେନ୍ଦ୍ର ସାହୁ ଓ ଲାବଣ୍ୟବତୀ ସାହୁ ପୂଜାରେ ବସୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ସୁବଳ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରିବେ । ପ୍ରତ୍ୟେକ ଦିନ ଚଣ୍ଡୀପାଠ ଓ ହୋମ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୋମବାର ମଧ୍ୟ ରାବଣ ଦରବାର ଉଦଘାଟନ ହେବ । ପୂଜା ୨୮ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଦଶମୀରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପୂଜା କମିଟି ସ୍ଥିର କରିଛି । ପୂଜା କିପରି ଶାନ୍ତି ଶୃଙ୍ଖଳାରେ ହେବ ଏନେଇ ପୂଜା କମିଟି ତଥା ଗ୍ରାମବାସୀମାନେ ଲାଗି ପଡ଼ିଛନ୍ତି । ଗାଁରେ ପୂଜା ଦେଖିବା ପାଇଁ ନିଜ ନିଜ ସମ୍ପର୍କିୟ ଘରକୁ ଅତିଥିଙ୍କ ଆଗମନ ହେଉଛନ୍ତି । ପୂଜା ଲାଗି ଗାଁ ଚଳଚଞ୍ଚଳ ହୋଇପଡୁଛି । ପୂଜା ପରିଚାଳନରେ ପୂଜା କମିଟି ତଥା ଗ୍ରାମବାସୀମାନେ ସହଯୋଗ କରୁଛନ୍ତି । ସୂଚନାଯୋଗ୍ୟ, ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜା ୧୯୫୨ ମସିହାରୁ ଆରମ୍ଭ ହୋଇ ଆଜି ୭୪ ବର୍ଷରେ ଅତିକ୍ରମ କରିଛି । ଅଞ୍ଚଳରେ ଏହା ହେଉଛି ଅତି ପୁରାତନ ଦୁର୍ଗାପୂଜା । ସମୟ ଥିଲା ଏ ଅଞ୍ଚଳକୁ ଦୁର୍ଗାପୂଜା ପୂଜା ପାଇଁ ସୀମାନ୍ତ ପଡୋଶୀ ନୂଆପଡ଼ା ଜିଲ୍ଲା ତଥା ବଲାଙ୍ଗିର ଜିଲ୍ଲାରୁ ମଧ୍ୟ ଦେଖିବାକୁ ଆସୁଥିଲେ । ଲୋକଙ୍କ ଭଲ ପାଇବାରେ ବଢ଼ି ଚାଲିଛି ସାର୍ବଜନୀନ ଦୁର୍ଗାପୂଜା । ନା ଅଛି ସରକାରୀ ସହାୟତା ତଥାପି ଗ୍ରାମବାସୀ ପୂଜାକୁ ଆଗେଇ ନେଇଛନ୍ତି । ୨୦୨୬ରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଧୂମଧାମରେ ପ୍ଲାଟିନମ୍ ଜୁବଲି ଅନୁଷ୍ଠିତ ହେବ ଏନେଇ ସରକାରର ତରଫରୁ ସହାୟତା ଯୋଗାଇ ଦେଲେ ଆମେ ଆହୁରି ଭଳ ଭାବରେ କରି ପାରିବୁ ବୋଲି ପୂଜା କମିଟି ସଭାପତି ମହେନ୍ଦ୍ର କୁମାର ଖୁଣ୍ଟିଆ କହିଛନ୍ତି ।
ଏମାନେ ଯାହା କହନ୍ତି –
“ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜା ହେଉଛି ଲୋକଙ୍କ ପୂଜା । ଆମେ ଏ ବର୍ଷ ୭୪ତମ ସାର୍ବଜନୀନ ଦୁର୍ଗାପୂଜାରେ ପହଞ୍ଚିଛୁ । ଗ୍ରାମବାସୀ ତଥା ଅଞ୍ଚଳବାସୀ ସହାୟତାରେ ଆମେ ଏତେ ବର୍ଷ ପୂଜା କରି ଆସିଅଛୁ । ମାଣ୍ଡୋସିଲ ଦୁର୍ଗାପୂଜା କହିଲେ ଅଞ୍ଚଳର ପୁରାତନ ଦୁର୍ଗାପୂଜା । ୨୦୨୬ରେ ଆମେ ପ୍ଲାଟିନମ ଜୁବଲି ପାଳନ କରିବୁ ସରକାର ଆମକୁ ଦୃଷ୍ଟି ଦେଲେ ଭଲ ହୁଅନ୍ତା ।
ସଭାପତି ମହେନ୍ଦ୍ର କୁମାର ଖୁଣ୍ଟିଆ, ପୂଜା କମିଟି
” ଚଳିତ ଦୁର୍ଗାପୂଜା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରାବଣ ଦରବାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଶେଷରେ ରାବଣପୋଡି ହେବ । ଏନେଇ ଆମେ କମିଟି ପକ୍ଷରୁ ସ୍ଥିର କରିଛୁ ।”
ଗୋପାଳ ପ୍ରସାଦ ବେହେରା, ସମ୍ପାଦକ, ପୂଜା କମିଟି
” ମାଣ୍ଡୋସିଲ ଦୁର୍ଗାପୂଜା ଅଞ୍ଚଳ ପାଇଁ ଏକ ଭାଇଚାରାର ପର୍ବ । ଏ ବର୍ଷ ଆମେ ୭୪ ତମ ସାର୍ବଜନୀନ ଦୁର୍ଗାପୂଜାରେ ପହଞ୍ଚିଛୁ । ପୂଜା କମିଟି, ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଆମେ ଆଗକୁ ବଢି ପାରିଛୁ । ପୂର୍ବ ଦୁର୍ଗାପୂଜା ଦେଖିବା ପାଇଁ ପଡୋଶୀ ନୂଆପଡା, ବଲାଙ୍ଗିର ଜିଲ୍ଲାର ଲୋକେ ଦେଖିବାକୁ ଆସୁଥିଲେ ।”
ଉପଦେଷ୍ଟା ରାଧେଶ୍ୟାମ ପଟେଲ, ପୂଜା କମିଟି
