କ୍ଷୀରବତୀଙ୍କୁ ନ୍ୟାୟ ଦେବା ଦାବିରେ ଥାନା ଗେଟରେ ତାଲା

କେସିଙ୍ଗା, (ପ୍ରୀତେଶ ପଟେଲ) : ଥାନା ଗେଟ୍‌ରେ ତାଲା ମାରିଲେ ଲୋକେ । ଗେଟ୍ ଭିତରେ ଠିଆ ହୋଇ ଦେଖୁଥିଲା ପୋଲିସ । ବାହାରେ ବର୍ଷାକୁ ଖାତିର ନ କରି ଧାରଣାରେ ବସିରହିଲେ ଲୋକେ । ଗତ ୨୪ ତାରିଖ ଦିନ ଦୋଷୀକୁ ଶୀଘ୍ର ଗିରଫ କରି କ୍ଷୀରବତୀଙ୍କୁ ନ୍ୟାୟ ଦେବା ନାରା ଦେଇ ଆଦର୍ଶ ଥାନା ମୁଖ୍ୟ ଦ୍ଵାର ଗେଟ୍‌ରେ ତାଲା ମାରିଲେ ବାଞ୍ଜିପଦରବାସୀ ଓ ତୈଳିକ ସାହୁ ସମାଜ । ଦୀର୍ଘ ୧୩ ଦିନ ହେଲା ପୋଲିସ ହାତ ଖାଲି, କେବଳ ପ୍ରତିଶ୍ରୁତି ଆଉ ପ୍ରତିଶ୍ରୁତି ବୋଲି ଅଭିଯୋଗ କରାଯାଇଛି । ଘଟଣା ଅନୁଯାୟୀ ଗତ କିଛିଦିନ ତଳେ କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ୍ ଗ୍ରାମର ବୋହୂ କ୍ଷୀରବତୀଙ୍କୁ ତାଙ୍କ ସ୍ଵାମୀ, ଶଶୁର, ଶାଶୁ ଓ ନଣନ୍ଦ ମିଶି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ କ୍ଷୀରବତୀଙ୍କ ପରିବାର ବର୍ଗ । ଏହି ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ପୋଲିସ କ୍ଷୀରବତୀଙ୍କ ସ୍ଵାମୀଙ୍କୁ ଗିରଫ କରିଥିବା ବେଳେ ଏବେ ବି କ୍ଷୀରବତୀଙ୍କ ଶଶୁର, ଶାଶୁ ଓ ନଣନ୍ଦ ଫେରାର୍‌ ଥିବା ସୂଚନା ରହିଛି । ଏହାକୁ କେନ୍ଦ୍ର କରି ଏହି ଥାନା ଘେରାଉ କରିଛନ୍ତି ତୈଳିକ ବୈଶ୍ୟ ସାହୁ ସମାଜ କମିଟି । ପୋଲିସ କାର୍ଯ୍ୟରେ ଅବହେଳା କରିବା ସହିତ ଦୋଷୀକୁ ଗିରଫ କରିନାହିଁ ବୋଲି ଅଭିଯୋଗ କରି ଏହି ଗଣଧାରଣା ବୋଲି କୁହାଯାଇଛି । ପରେ ପୋଲିସର ପ୍ରତିଶ୍ରୁତି ପାଇ ଧାରଣାରୁ ଓଗରିଲେ ଲୋକେ । ହେଲେ ସତରେ କଣ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ ନୀତି ଆପଣେଇଛି ନା ଲୋକଙ୍କ ଅଭିଯୋଗ ଭିତ୍ତିହୀନ ତାହା ସମୟ କହିବ । କ୍ଷୀରବତୀଙ୍କୁ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା ଘଟଣା, ତାହା ପିଏମ୍ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କୁହାଯାଉଥିବା ବେଳେ ପୋଲିସ ଫେରାର୍‌ ଥିବା କ୍ଷୀରବତୀଙ୍କ ଶଶୁର, ଶାଶୁ ଓ ନଣନ୍ଦଙ୍କୁ କେବେ ଗିରଫ କରିବାରେ ସଫଳ ହେବ, ଲୋକେ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.