ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା : ଅଧିକ ପର୍ଯ୍ୟଟକଙ୍କ ପରିଭ୍ରମଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା । ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁଠାରୁ ଅଧିକ ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ସେ କହିଛନ୍ତି, ରବିବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଫି ବଗିଚାଟି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା । ତାକୁ ବ୍ଲକ ପ୍ରଶାସନ ହାତକୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ହାତକୁ ଆସିଥିଲା । ପ୍ରଥମଥର ପାଇଁ ମଙ୍ଗଳବାର ଠାରୁ ବ୍ଲକ ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଟିକେଟ ସଂଗ୍ରହ କରାଯାଇଥିଲା ଓ ପ୍ରଥମ ଦିନରେ ହିଁ ଏହାର ରୋଜଗାର ହିଲଭିୟୁ ଠାରୁ ଅଧିକ ଆସିଥିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି । ବୁଧବାର ସକାଳ ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ସହ ତାର ରୂପାନ୍ତର କାର୍ଯ୍ୟ ଓ ଉନ୍ନୟନ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି । କଫି ବଗିଚାକୁ ସମ୍ପୂର୍ଣ୍ଣ ସଫେଇ କରାଯିବା ସହ ନିୟମିତ ସ୍ୱଚ୍ଛତା ରଖାଯିବ ବୋଲି ବିଡ଼ିଓ କହିଛନ୍ତି । ସେହିପରି ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି । ପ୍ରକାଶ ଯେ, କଫି ବଗିଚା ଦାରିଙ୍ଗବାଡିକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ସଠିକ ଭାବେ କରାଯାଉ ନ ଥିଲା ଏବେ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ ପ୍ରଫୁଲ୍ଲ କୁମାର ପ୍ରଧାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ତାର ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ପୂର୍ବରୁ ଯେତେଜଣ ଅଧିକାରୀ ଯୋଗ ଦେଇଥିଲେ କଫି ବଗିଚାର ଉନ୍ନତି କରି ନ ଥିବାବେଳେ ସଠିକ ଭାବେ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟିକେଟ ପାଣ୍ଠିକୁ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ କି ବାଲିଗୁଡା ଉପଜିଲ୍ଲାପାଳ ଏବଂ କନ୍ଧମାଳ ଜିଲ୍ଲାପାଳ ଖପ୍ପା ହୋଇଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ଦୁଲୁରି ପାଇନ ବଣକୁ ମଧ୍ୟ ଟ୍ରଷ୍ଟ ହାତକୁ ନେବା କୁହାଯାଉଛି । ଏହା ଦ୍ୱାରା ଦୁଲୁରି ପାଇନବଣର ବିକାଶ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ତଥା ସିଡିଓ ଶମ୍ଭୁନାଥ ନନ୍ଦୀ ଏକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.