ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ବିକାଶର ଅନେକ ପ୍ରମୁଖ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଛି : ଉପରାଷ୍ଟ୍ରପତି

• ରାଷ୍ଟ୍ର ପ୍ରଥମ, ଇଣ୍ଡିଆ ଫର୍ଷ୍ଟର ଭାବନା ଆମର ବିକାଶ ଯାତ୍ରାକୁ ଆଗେଇ ନେଉଛି; ଭାରତର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଏହା ପ୍ରତିଧ୍ୱନିତ ହେଉଥିବା ଦେଖି ଉତ୍ସାହିତ : ଉପରାଷ୍ଟ୍ରପତି
• ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍
• ପ୍ରଧାନମନ୍ତ୍ରୀ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ କରିଛନ୍ତି ଏବଂ ଶାସନରେ ସମାବେଶୀ ଆଭିମୁଖ୍ୟ ସହିତ ଏକ ପରିବର୍ତ୍ତନ ଆଣିଛନ୍ତି: ଅଶ୍ୱିନୀ ବୈଷ୍ଣବ
• ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏକ ପ୍ରେରଣା କାରଣ ସେ ସମାଜ, ସେବା ଏବଂ ରାଷ୍ଟ୍ରକୁ ନିଜଠାରୁ ଉପରେ ରଖନ୍ତି : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଛା ବଛା ଭାଷଣର ଚତୁର୍ଥ ଏବଂ ପଞ୍ଚମ ଖଣ୍ଡକୁ ଉନ୍ମୋଚନ କରିଛନ୍ତି । ଜୁନ୍ ୨୦୨୨ରୁ ମେ ୨୦୨୩ ଏବଂ ଜୁନ୍ ୨୦୨୩ରୁ ମେ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭାଷଣ ସବୁ ଏଥିରେ ସ୍ଥାନ ପାଇଛି । ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଶୀର୍ଷକ ଏହି ସଂକଳନଗୁଡ଼ିକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ହୋଇଛି । ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆତ୍ମନିର୍ଭର ଭାରତର ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ବିକାଶର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଛି । ଏକ ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ମଧ୍ୟ ନିର୍ମିତ ହୋଇଥାଏ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ମାତୃଭାଷାରେ ଗୁଣାତ୍ମକ ଶିକ୍ଷା, ସ୍ୱଚ୍ଛ ପାନୀୟ ଜଳ, ପରିମଳ, ସୁଗମ ସ୍ୱାସ୍ଥ୍ୟସେବା, ଦାରିଦ୍ର୍ୟ ଦୂରୀକରଣ, ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ କାର୍ଯ୍ୟ ୧୪୦ କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉପକରଣ ବୋଲି ଉପରାଷ୍ଟ୍ରପତି ଆଲୋକପାତ କରି କହିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳି ଆସି ସମ୍ମାନର ସହିତ ଜୀବନଯାପନ କରିବାରେ ସକ୍ଷମ କରିଛି । ଯେତେବେଳେ କୌଣସି ଘରେ ଶୌଚାଳୟ ନିର୍ମାଣ କରାଯାଏ, ଏହା ପରିବାରର ସମସ୍ତଙ୍କ ପାଇଁ ମର୍ଯ୍ୟାଦା ସୁନିଶ୍ଚିତ କରେ । ଉପରାଷ୍ଟ୍ରପତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହାର ଗଣମାଧ୍ୟମ ବିଭାଗ ପ୍ରକାଶନ ଡିଭିଜନ ଦଳକୁ ଏହି ପ୍ରକାଶନ ପାଇଁ ଅଭିନନ୍ଦନ ଜଣାଇଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୀତିରେ ନିଃସ୍ୱାର୍ଥପର ସେବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ରାଜନୀତିକୁ ଲୋକଙ୍କ ସେବାର ଏକ ମାଧ୍ୟମ କରିଛନ୍ତି ଏବଂ ଶାସନରେ ତାଙ୍କର ସମାବେଶୀ ଆଭିମୁଖ୍ୟ ଜରିଆରେ ଉଲ୍ଲେଖନୀୟ ଫରକ ଆଣି ପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏକ ପ୍ରେରଣା କାରଣ ସେ ସମାଜ, ସେବା ଏବଂ ଦେଶକୁ ନିଜଠାରୁ ଉପରେ ରଖନ୍ତି । କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ନୂତନ ସଂକଳନ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନକାରୀ ଆଭିମୁଖ୍ୟକୁ ବୁଝିବା ପାଇଁ ଗବେଷକଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରିବ । ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ଜଣେ ଶ୍ରେଷ୍ଠ ଯୋଗାଯୋଗକାରୀ ଭାବରେ ବର୍ଣ୍ଣନା କରିଥିଲେ । ସେ ଉଲ୍ଲେଖ କରିଥିଲେ, ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରତ୍ୟେକ ଯୋଜନାର ନାମକରଣ କରିବାରେ ମଧ୍ୟ ସେ ସର୍ବାଧିକ ଯତ୍ନବାନ ହୁଅନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଏହି ପୁସ୍ତକଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଶାସନ ମଡେଲ ଉପରେ ପ୍ରାମାଣିକ ସନ୍ଦର୍ଭ ସାମଗ୍ରୀ ପ୍ରଦାନ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପୁସ୍ତକଗୁଡ଼ିକ ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବରେ ପ୍ରମାଣିତ ହେବ, ଯାହା ପାଠକମାନଙ୍କୁ ସରକାରଙ୍କ ସମାବେଶୀ ଏବଂ ସଂସ୍କାର ଆଧାରିତ ଏଜେଣ୍ଡା ଉପରେ ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ ।
ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ସଂକଳନ ବିଷୟରେ
ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଛାବଛା ଅଭିଭାଷଣର ଏକ ସଂକଳନ । ଏହି ପୁସ୍ତକଗୁଡ଼ିକରେ ଅନ୍ୟାନ୍ୟ ବିଷୟବସ୍ତୁ ସହିତ ଜଣେ ପ୍ରଧାନମନ୍ତ୍ରୀ କିପରି ସମ୍ମୁଖରୁ ନେତୃତ୍ୱ ନିଅନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ଜନସାଧାରଣକୁ ଆହ୍ୱାନ କରନ୍ତି ତାହା ଉପରେ ଆଲୋକପାତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ କିମ୍ବା ତାଙ୍କ ଭାଷଣ ପ୍ରେରଣାଦାୟକ ହେବା ସହିତ, ଭୁଲ କିମ୍ବା ତ୍ରୁଟିକୁ ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରେ । କୌଣସି ଭାଷଣ ସଂକଳନରେ ମୂଳତଃ ତତ୍କାଳୀନ ସମୟର ପ୍ରତିଫଳନ ହୋଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନେତୃତ୍ୱ କାଳରେ ବର୍ଷ ବର୍ଷ ଧରି ବିଭିନ୍ନ ବିଷୟରେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଛନ୍ତି । ତାଙ୍କର ସ୍ପଷ୍ଟତା, ଦୃଢ଼ ବିଶ୍ୱାସ ଏବଂ ଜନସାଧାରଣଙ୍କ ସହିତ ଗଭୀର ସମ୍ପର୍କ ମାଧ୍ୟମରେ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଏହି ସଂକଳନଗୁଡ଼ିକରେ ଭାରତର ବିକାଶ ଗାଥାର ବିଭିନ୍ନ ଦିଗକୁ ସ୍ପର୍ଶ କରୁଥିବା ଭାଷଣର ଏକ ବିସ୍ତୃତ ପରିସର ଅନ୍ତର୍ଭୁକ୍ତ ।
ଚତୁର୍ଥ ଖଣ୍ଡରେ ଜୁନ୍ ୨୦୨୨ରୁ ମେ ୨୦୨୩ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରୁ ବଛା ବଛା ୮୮ଟି ଅଭିଭାଷଣ ସ୍ଥାନିତ ହୋଇଛି । ଏଗୁଡ଼ିକୁ ୧୧ଟି ଅଧ୍ୟାୟରେ ବିଭକ୍ତ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନିଜର ଦୃଷ୍ଟିକୋଣ ଉଲ୍ଲେଖ କରିବା ସହିତ ୨୦୪୭ ସୁଦ୍ଧା ଏକ ଦୃଢ଼, ସମୃଦ୍ଧ ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାର ସ୍ପଷ୍ଟ ରୂପରେଖ ନିର୍ଦ୍ଧାରଣ କରିଛନ୍ତି । ପଞ୍ଚମ ଖଣ୍ଡରେ ଜୁନ୍ ୨୦୨୩ରୁ ମେ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ୯୧ଟି ଭାଷଣ ସ୍ଥାନ ପାଇଛି । ଏଥିରେ ଜି-୨୦ ଠାରୁ ଆରମ୍ଭ କରି ମନ କୀ ବାତ୍ ପର୍ଯ୍ୟନ୍ତ ୧୧ଟି ଅଧ୍ୟାୟ ରହିଛି । ଏହି ପୁସ୍ତକରେ ସ୍ଥାନିତ ଭାଷଣଗୁଡ଼ିକରେ, ପ୍ରଧାନମନ୍ତ୍ରୀ ଭାରତର ସଶକ୍ତିକରଣ, ଏହାର ବିସ୍ତାରିତ ବିଶ୍ୱ ଭୂମିକା ଏବଂ ମହିଳା ଓ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ସଚିବ ଅମିତ ଖାରେ, ପ୍ରକାଶନ ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କୈନ୍ଥୋଲା, ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଗଣମାଧ୍ୟମ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.