ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ । ଟାଉନର ବିଭିନ୍ନ ଗ୍ୟାରେଜ, ସର୍ଭିସ ସେଣ୍ଟର, ଶୋ’ରୁମ୍ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି। ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଘରୋଇ ମୋଟର କର୍ମଚାରୀ ସଂଘ ଓ ମହାରଣା ଇଣ୍ଟରରିୟର ଓ ଡିଜାଇନ ପରିସରରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ଅନେକ ପୂଜା ମଣ୍ଡପରେ ବିଶ୍ୱକର୍ମା ମୂର୍ତ୍ତି ଓ ମେଢ ବେଶ ଆକର୍ଷଣୀୟ ହୋଇଥିବା ବେଳେ କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୂର୍ତ୍ତି ନିର୍ମାଣ ହୋଇଛି । ସନ୍ଧ୍ୟାରେ ଭକ୍ତମାନେ ପୂଜା ମଣ୍ଡପରେ ଦର୍ଶନ ନେଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।