ନିଟ୍ରା ତରଫରୁ ବାର୍ଷିକ ସାଧାରଣ ସଭା ଓ ୫୮ତମ ଇଞ୍ଜିନିୟର୍ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ରା ଏନ୍‌ଆଇଟି ରାଉରକେଲା ଆଲୁମିନି ଆସୋସିଏସନର ସଭାପତି ଫକିର ଚରଣ ମହାନ୍ତି ଏବଂ ସାଧାରଣ ସମ୍ପାଦକ ପ୍ରଫେସର ହୃଷୀକେଶ ନାଏକଙ୍କ ଆବାହକତ୍ୱରେ ଏ ବର୍ଷର ବାର୍ଷିକ ସାଧାରଣ ସଭା ବ୍ରାହ୍ମଣୀ କ୍ଲବର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୦ ଜଣ ସଦସ୍ୟ ଉପସ୍ଥିତ ରହି ନିଜର ମତ ବନିମୟ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହା ବ୍ୟତୀତ ଭାରତ ଭିତରୁ ତଥା ଦେଶ ବିଦେଶରେ କାର୍ଯ୍ୟରତ ଥିବା ୨୧ ସଦସ୍ୟ ଅନଲାଇନ ଲିଙ୍କ୍ ମାଧ୍ୟମରେ ଯୋଗଦାନ କରି ନିଜର ଉପସ୍ଥିତି ଜାହିର କରିଥିଲେ । ଜାପାନରେ କାର୍ଯ୍ୟରତ ଦେବେନ୍ଦ୍ର ମହନ୍ତ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସର୍ବ ସମ୍ମତିକ୍ରମେ ନିଟ୍ରାର ସମ୍ବିଧାନକୁ ତର୍କ ବିତର୍କ ମାଧ୍ୟମରେ ନୂତନ ରୂପରେଖ ଦିଆଯାଇଥିଲା । ସଭାର ପ୍ରାରମ୍ଭରେ ଦିବଙ୍ଗତ କିଛି ସଦସ୍ୟଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ଓ ସାଧାରଣ ସମ୍ପାଦକ ପ୍ରଫେସର ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପ୍ରଫେସର ସୁରଜ କୁମାର ବେହେରା ବାର୍ଷିକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ସର୍ବ ସମ୍ମତିକ୍ରମେ ଅଡିଟ୍ ରିପୋର୍ଟକୁ ସାଧାରଣ ସଭାରେ ଗୃହୀତ କରାଗଲା । ସଭାରେ ଡିନ୍ ଆଲୁମିନି ପ୍ରଫେସର ହିମାଂଶୁ ଭୂଷଣ ସାହୁ ଏବଂ ଆସୋସିଏଟ ଡିନ୍ ପ୍ରଫେସର ପଙ୍କଜ୍ କୁମାର ସା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନିଟ୍ରା ସମ୍ବିଧାନ ଆମ୍ବେଣ୍ଡମେଣ୍ଟ କମିଟିର ଆବାହକ ଅସିମ୍ କୁମାର ସାବତ୍, ପ୍ରଫେସର ସରୋଜ୍ କୁମାର ପଟେଲଙ୍କର ସହାୟତାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ସର୍ବ ସମ୍ମତିକ୍ରମେ ନିଟ୍ରାର ସମ୍ବିଧାନକୁ ନୂତନ ରୂପରେଖ ଦିଆଯାଇଥିଲା । ସଭାରେ ପ୍ରଫେସର କାହ୍ନୁଚରଣ ପାତ୍ରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ସଭାରେ ଭୁବନେଶ୍ୱରରୁ ଆସି ଯୋଗଦାନ କରିଥିବା ପୂର୍ବ ଭାଗର ଉପସଭାପତି ଅରୁଣ କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାଶେଷରେ ସମ୍ପାଦକ ସ୍ଵରୂପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ଡକ୍ଟର ନିବେଦିତା ରାୟ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ନିଟ୍ରାର ଦ୍ୱିତୀୟ ଅଧିବେଶନ ରାଉରକେଲା କ୍ଲବଠାରେ ୫୮ତମ ଇଞ୍ଜିନିୟର୍ସ ଦିବସ ନିଟ୍ରା ରାଉରକେଲା ଚାପ୍ଟର ପୃଷ୍ଠପୋଷକତାରେ ମହାସମାରୋହରେ ପାଳନ କରାଯାଇଥିଲା । ଅଧ୍ୟକ୍ଷ ବିମଳ ବିଶିଙ୍କ ବିଦେଶ ଗସ୍ତ ହେତୁ ଉପାଧ୍ୟକ୍ଷ ଅସିମ୍ କୁମାର ସାବତଙ୍କ ତତ୍ୱାବଧାନରେ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଇଥିଲା । ମୂଖ୍ୟଅତିଥି ଭାବେ ଆର୍‌ଏସ୍‌ପିର ପ୍ରାକ୍ତନ ମୁଖ୍ୟ ତଥା ପ୍ରଫେସର ଡକ୍ଟର ଅତନୁ ଭୌମିକ ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଲାଇ ଯୋଗଦେଇଥିଲେ । ନିଟ୍ରା ଅଧ୍ୟକ୍ଷ ଶ୍ରୀ ମହାନ୍ତି ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମୂଖ୍ୟବକ୍ତା ଭାବେ ଆଇଆଇଟି ଖଡଗପୁରର ପ୍ରଫେସର ରୁଦ୍ରପ୍ରକାଶ ପ୍ରଧାନ ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୁଇଜ୍ ମାଷ୍ଟର ସମ୍ପଦ ମିଶ୍ର ଏନ୍‌ଆଇଟି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା, ପ୍ରଫେସର ଅନୁପମ ମିଶ୍ର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚିତ୍ରକଳା ପ୍ରତିଯୋଗିତା ଓ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଦର୍ଶକ ମାନଙ୍କ ପାଇଁ ଏକ ଲକି ଡ୍ର କରାଯାଇଥିଲା । ଉତ୍ସବରେ ସାର୍ ବିଶ୍ଵେଶ୍ଵରାୟଙ୍କର ଜୀବନୀ ସ୍କେଚ୍ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅଜିତ୍ ପୁଜାରୀ ସଂଗୀତ ପରିବେଷଣ କରିଥିଲାବେଳେ ସମ୍ପାଦକ ଅନୁପ ଅଗ୍ରୱାଲ ଧନ୍ୟବାଦ ଓ କୋଷାଧ୍ୟକ୍ଷ ରାହୁଳ ଅଗ୍ରୱାଲ ଇଞ୍ଜିନିୟର୍ସ ଦିବସର ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.