ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରକୁ ଏନ୍ଏସି, ଲାଠୋର ପିଏଚ୍ସିକୁ ସିଏଚ୍ସି ଏବଂ ରେଲୱେ ଓଭରବ୍ରିଜ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଵନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ଏଲ୍ଡିଏ ସଂଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଖପ୍ରାଖୋଲ ବ୍ଲକ ଆଦିବାସୀ ସଙ୍ଘ, ଖପ୍ରାଖୋଲ ବିଜୁ ଜନତା ଦଳ, ବିଭିନ୍ନ ସଂଗଠନ ଏବଂ ସମସ୍ତ ବର୍ଗର ଲୋକମାନେ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ବିଜେଡି ସରକାର ଥିବା ସମୟରେ ୨୦୨୩ ବର୍ଷରେ ଲାଠୋରକୁ ଏନ୍ଏସି କରିବା ପାଇଁ ଚିଠି ନଂ ୫୫୩/୨୩ରେ ସମସ୍ତ କାଗଜ ପତ୍ର ଠିକ କରାଯାଇଥିଲା କିନ୍ତୁ ବର୍ତ୍ତମାନର ସରକାର ଏଦିଗରେ କୌଣସି ଉତ୍ସାହ ଦେଖାଉ ନାହାନ୍ତି ବୋଲି ବିଜେଡି ପୂର୍ବତନ ବିଧାୟକ ସରୋଜ କୁମାର ମେହେର ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାର ଵିଭିନ୍ନ ପ୍ରାନ୍ତକୁ ଏନ୍ଏସି ଘୋଷଣା କରିଛନ୍ତି । କିଛିଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ଲୋଇସିଂହାକୁ ନୂତନ ଏନ୍ଏସି ଘୋଷଣା କରିଥିଲେ ମଧ୍ୟ ଲାଠୋର ପ୍ରତି ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଏଲ୍ଡିଏର ପ୍ରତିଷ୍ଠାତା ଲବ ସୁନା । ଏନେଇ ଗୋଟିଏ ତିନି ଦଫା ଦାବୀପତ୍ର ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଏବଂ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟଙ୍କୁ ଦିଆଯାଇଛି । ବନ୍ଦ ଡାକରା ଯୋଗୁ ସ୍କୁଲ, କଲେଜ ଓ ଦୋକାନ ବଜାର ପ୍ରଭାବିତ ହୋଇଥିବା ବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।