jayashree

ଏନ୍‌ପିଏସ୍‌ ଶିକ୍ଷକ ସଂଘର ପ୍ରତିବାଦ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ହାଇସ୍କୁଲ ଏନ୍‌ପିଏସ୍‌ (ନୂତନ ପେନସନ ସ୍କିମ) ଶିକ୍ଷକ ସଂଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଏହି ସଭାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ଗୋଟି ବ୍ଲକରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ପ୍ରତିବାଦ ସଭାରେ ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ଠିକା ଶିକ୍ଷକଙ୍କ ୬ବର୍ଷ ର ଠିକା ଚାକିରିକୁ ମୂଳ ଚାକିରିରେ ଗଣନା କରିବା ସହ ୬ଟି ନୋସନାଲ ଇଂକ୍ରିମେଣ୍ଟ ଯଥା ଶୀଘ୍ର ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ଏହା ସହ ମାଧ୍ୟମିକ ବିଦ୍ୟାଳୟରେ ବହୁ ସଂଖ୍ୟକ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଥିବାରୁ ଓଡ଼ିଶାର ମାଧ୍ୟମିକ ଶିକ୍ଷା ଅବସ୍ଥା ଶୋଚନୀୟ ହେବା ପ୍ରସଙ୍ଗ ସହ ତାଲିମ ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ବରିଷ୍ଠତା ତାଲିକା ପ୍ରକାଶନରେ ଅହେତୁକ ବିଳମ୍ବ ହେବା ପ୍ରମୁଖ ଦାବୀ ଉପସ୍ଥାପନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ବଲାଙ୍ଗିର ଜିଲ୍ଲାର ଶିକ୍ଷକ ନେତା ମନୋରଞ୍ଜନ ସାହୁ, ଶିକ୍ଷାବିତ ନରେନ୍ଦ୍ର ମିଶ୍ର, ଡୋଳାମଣି ସାହୁ, ଶରତ ନାଗ, ବିନୋଦ ମିଶ୍ର, ସୁଧାଂଶୁ ବାରିକ, ଦେବାଶିଷ ବିଶି, ଦୀପାଞ୍ଜଳି ଯୋଶୀ, ବୀରକିଶୋର ସୁନା, କପିଳେଶ୍ୱର କୁମ୍ଭାର, ଶକ୍ତିବାଇ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ । ସଭାକୁ ହେମନ୍ତ ବାରିକ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଦ୍ଵିତୀ ରଞ୍ଜନ ମହାଲିଙ୍ଗ । ପ୍ରତିବାଦ ସଭା ପରେ ବିରାଟ ରାଲିରେ ସମସ୍ତ ଏନ୍‌ପିଏସ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ଶୀଘ୍ର ପୂରଣ ନ ହେଲେ ଚଳିତ ମାସ ୨୨ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଏନ୍‌ପିଏସ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯାଇ ଯୋଗଦେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.