ମାୟାବର୍ହା ହାଇସ୍କୁଲଠାରେ ଆନ୍ତର୍ଜାତୀୟ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ଅନୁଷ୍ଠିତ ପ୍ରାଥମିକ ଚିକିତ୍ସା ଦିବସ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ଦ୍ଵାରା ସ୍ଵୀକୃତିପ୍ରାପ୍ତ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ଡ. ରବିଚନ୍ଦ୍ର ପଶାୟତ ସଭାପତିତ୍ୱ କରିଥିଲେ ଓ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ତାଲିମ ପ୍ରାପ୍ତ ପ୍ରାଥମିକ ଚିକିତ୍ସକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ବେଣ୍ଡଜ ବାନ୍ଧିବା କୌଶଳ ତଥା ରୋଗୀ ପରିବହନ କୌଶଳ ପ୍ରଦର୍ଶନ କରିଥିଲେ । ସଭାରେ ସଂସ୍କୃତ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ଓ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ରୋଗୀ ପରିବହନ, ଆରାମ ଦାୟକ ଅବସ୍ଥା ବିଷୟରେ ଶିକ୍ଷାଦାନ କରିବା ସହ କୌଶଳ ପ୍ରଦର୍ଶନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ସମ୍ପଦ ଖମାରୀ, ମନୋଜ କୁମାର ପୂଜାରୀ, ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନ ଉପସ୍ଥିତ ରହି ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷାଲାଭ କରିଥିଲେ । ଶିକ୍ଷକ କିରଣ କୁମାର ପଟେଲ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୂଜା, ଅନୁପମା, ଅନ୍ତରା, କରିସ୍ମା, ପ୍ରୀତି, ଶ୍ରୀମୟୀ, ଆଭା, ଜାଗୃତି, ଆକାଶ, ଶ୍ରୀତମ, ଆଦିତ୍ୟଙ୍କ ସମେତ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ କରିଥିଲେ । କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.