ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଶା ସେବନର କୁପ୍ରଭାବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟଭାନୁ ରାଉତ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନିଶା ସେବନର କୁ-ପ୍ରଭାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମଦ, ପାନ ମସଲା, ଭାଙ୍ଗ, ଗଞ୍ଜେଇ, ଅଫିମ, ଗୁଡ଼ାଖୁ ଇତ୍ୟାଦି ନିଶା ସେବନ ଦ୍ୱାରା ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ । ଏହାଦ୍ୱାରା ସମାଜରେ ବିଭିନ୍ନ ଅପରାଧ ସଂଗଠିତ ହୋଇଥାଏ । ନିଶା ସେବନ ଦ୍ୱାରା ଶରୀରରେ କର୍କଟ, ରକ୍ତଚାପ, ବୃକକ, ହୃତପିଣ୍ଡ ଓ ମସ୍ତିଷ୍କ ଜନିତ ବିଭିନ୍ନ ରୋଗର ଆଶଙ୍କା ରହିଥାଏ । ନିଶା ସେବନ ଦ୍ୱାରା ପରିବାରର ଆର୍ଥିକ ଅବସ୍ଥା ଖରାପ ହୋଇଥାଏ । ନିଶା ସେବନ ଦ୍ୱାରା ନିଜର କର୍ମ ନିଯୁକ୍ତି ହରାଇବାର ମଧ୍ୟ ସମ୍ଭାବନା ଥାଏ । ନିଶା ସେବନ କରୁଥିବା ବ୍ୟକ୍ତିର ସମାଜରେ ସମ୍ମାନହାନୀ ହେବାର ଭୟ ରହିଥାଏ ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ନିଶାର ବ୍ୟବହାରରୁ ଦୁରେଇ ରହିବାକୁ ଶପଥ ନେଇଥିଲେ । ଗ୍ରାମ ଶୋଭାଯାତ୍ରା ରାଲି ମାଧ୍ୟମରେ ନିଶା ସେବନ ନ କରିବାକୁ ସଚେତନ କରିଥିଲେ । ନିଶା ସେବନର କୁପ୍ରଭାବ ପ୍ରସଙ୍ଗରେ ଏକ ନାଟିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ କୁଶ ପୁଟେଲ, ଅଜୟ ପଧାନ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ବିଶ୍ଵଦେବ ବେରିଆ ଧନ୍ୟବାଦ ଅର୍ପଣ କରିଥିଲେ ।