ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

ନୂଆଦିଲ୍ଲୀ, (ପିଆଇବି) : ‘‘ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳକୁ ଫ୍ରଣ୍ଟିଅର୍ (ସୀମାବର୍ତ୍ତୀ) କ୍ଷେତ୍ର କୁହାଯାଉଥିଲା । କିନ୍ତୁ ଆଜି ଏହି ଅଞ୍ଚଳ ଫ୍ରଣ୍ଟ-ରନର୍ ଅଫ୍ ଗ୍ରୋଥ୍’ ବା ବିକାଶରେ ଅଗ୍ରଣୀ ହୋଇପାରିଛି ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ହୋଇଥିବା ଅଭୂତପୂର୍ବ ପ୍ରଗତିର ପ୍ରମାଣ ଦେଉଛି । ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଭାରତର ଉତ୍ତର-ପୂର୍ବାଞ୍ଚଳରେ ଗତ ଦଶନ୍ଧିରେ ବିକାଶର ନୂତନ ସୂର୍ଯ୍ୟୋଦୟ ହୋଇଛି । ରେଳବାଇ, ରାଜପଥ, ବିମାନ ସଂଯୋଗ ଏବଂ ଡିଜିଟାଲ୍ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଏହି ଅଞ୍ଚଳର ଆଠଟି ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ କରିଛି । ଉତ୍ତର-ପୂର୍ବାଞ୍ଚଳରେ ସମାବେଶୀ ବିକାଶକୁ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ସରକାର ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଏହି ଅଞ୍ଚଳର ସନ୍ତୁଳିତ ବିକାଶ ସୁନିଶ୍ଚିତ ହେବା ସହିତ ଦକ୍ଷିଣପୂର୍ବ ଏସିଆ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଉତ୍ତର-ପୂର୍ବାଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶମାର୍ଗ ପାଲଟିଛି । ରେଳ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଞ୍ଚଳରେ ବିକାଶଧାରାର ନେତୃତ୍ୱ ନେଉଛି । ୨୦୧୪ ପରଠାରୁ ଏହି ଅଞ୍ଚଳ ପାଇଁ ରେଳ ବଜେଟ୍ ଆବଣ୍ଟନ ପରିମାଣ ୫ଗୁଣ ବୃଦ୍ଧି ପାଇଛି । ଏହି କ୍ଷେତ୍ର ପାଇଁ ମୋଟ୍ ୬୨,୪୭୭ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଥିବା ବେଳେ ଏଥିରେ ଚଳିତ ବର୍ଷର ୧୦,୪୪୦ କୋଟି ଟଙ୍କା ସାମିଲ ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳରେ ୭୭,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିଜୋରାମର ବୈରାବି-ସାଇରାଙ୍ଗ ରେଳ ଲାଇନକୁ ଉଦଘାଟନ କରିବାକୁ ଯାଉଛନ୍ତି । ୮ହଜାର କୋଟି ଟଙ୍କାରେ ନିର୍ମିତ ଏହି ରେଳ ପ୍ରକଳ୍ପ ଦ୍ୱାରା ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଇଜଲ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହେବ । ଏହି ରେଳ ଲାଇନରେ ମୋଟ୍ ୧୪୩ଟି ସେତୁ ଏବଂ ୪୫ଟି ସୁଡ଼ଙ୍ଗ ରହିଛି । ପ୍ରଧାନମନ୍ତ୍ରୀ ସାଇରଙ୍ଗରୁ ଦିଲ୍ଲୀ (ରାଜଧାନୀ ଏକ୍ସପ୍ରେସ), କୋଲକାତା (ମିଜୋରାମ ଏକ୍ସପ୍ରେସ) ଏବଂ ଗୌହାଟୀ (ଆଇଜୱାଲ ଇଣ୍ଟରସିଟି) ପର୍ଯ୍ୟନ୍ତ ତିନୋଟି ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ଦେଶର ବିକାଶ ଯାତ୍ରାରେ ମିଜୋରାମକୁ ଦୃଢ଼ ସହଭାଗୀ କରିବ । ଶ୍ରୀ ମୋଦୀ ମିଜୋରାମ ଠାରେ ଏକାଧିକ ସଡ଼କ ଓ ସେତୁ ପ୍ରକଳ୍ପ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମଣିପୁରରେ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ସହିତ, ପ୍ରଧାନମନ୍ତ୍ରୀ ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ, ଭବିଷ୍ୟତର ସମ୍ପ୍ରସାରଣ କରିଡର ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ୧,୭୯୦ କିଲୋମିଟର ଦୀର୍ଘ ୧୭ଟି ନୂତନ ରେଳ ସର୍ଭେକୁ ଅନୁମୋଦନ କରାଯାଇଛି । ସେହିପରି କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳରେ ୧୬,୨୦୭ କିଲୋମିଟର ଲମ୍ବା ଜାତୀୟ ରାଜପଥ ନିର୍ମାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ଅଧୀନରେ, ଉତ୍ତର ପୂର୍ବାଞ୍ଚଳରେ ୮୯,୪୩୬ କିଲୋମିଟର ରାସ୍ତା ଏବଂ ୨,୩୯୮ ସେତୁ ସହିତ ୧୭,୬୩୭ ରାସ୍ତା ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁର କରାଯାଇଛି । ଏଥିମଧ୍ୟରୁ ୮୦,୯୩୩ କିଲୋମିଟର ଏବଂ ୨,୧୦୮ ସେତୁ ସହିତ ୧୬,୪୬୯ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଯାହା ଦୂରଦୂରାନ୍ତ ଏବଂ ଗ୍ରାମାଞ୍ଚଳରେ ଶେଷ ମାଇଲ ସଡ଼କ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିଛି । ଗତ ଏକ ଦଶନ୍ଧି ମଧ୍ୟରେ ଉତ୍ତରପୂର୍ବାଞ୍ଚଳର ୬,୩୫୫ ଗ୍ରାମ ପଞ୍ଚାୟତରେ ଡିଜିଟାଲ ଯୋଗାଯୋଗ ସୁବିଧା ପହଞ୍ଚିବା ସହିତ ୩,୨୯୭ ମୋବାଇଲ ଟାୱାର ସଂଯୋଗ କରାଯାଇଛି । ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବାଞ୍ଚଳରେ ୯୦ଟି ବିମାନ ମାର୍ଗ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୨ଟି ବିମାନ ବନ୍ଦର ଏବଂ ହେଲିପୋର୍ଟ ପ୍ରତିଷ୍ଠା କରାଯାଇଛି । ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ଆଠଟି ଉତ୍ତର-ପୂର୍ବ ରାଜ୍ୟକୁ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଯୋଗାଯୋଗ ସହିତ ଜଡିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି । ‘ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପଦକ୍ଷେପ’ (ପିଏମ-ଡିଭାଇନ) ହେଉଛି ଏକ ୧୦୦% କେନ୍ଦ୍ରୀୟ ପାଣ୍ଠି ବିଶିଷ୍ଟ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକୁ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିଲା । ଏହି ଯୋଜନାରେ ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଚାରି ବର୍ଷର ଅବଧି ପାଇଁ ମୋଟ ୬,୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଢାଞ୍ଚା ସହିତ ସମନ୍ୱିତ ଭାବରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା, ଅଞ୍ଚଳର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ଆଧାରିତ ସାମାଜିକ ବିକାଶ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା, ଯୁବପିଢ଼ି ଓ ମହିଳାମାନଙ୍କ ପାଇଁ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ଏବଂ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟବଧାନକୁ ଦୂର କରିବା । ସେହିପରି ଉତ୍ତର-ପୂର୍ବାଞ୍ଚଳ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନାରେ ୪୬୨.୨୧ କୋଟି ଟଙ୍କାର ୨୯ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଉତ୍ତର ପୂର୍ବାଞ୍ଚଳ ପରିଷଦ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ଜୀବିକା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯାଉଛି । ଆସାମ ଏବଂ ତ୍ରିପୁରା ପାଇଁ କେନ୍ଦ୍ର ସରକାର ଯଥାକ୍ରମେ ୪ ହଜାର ଏବଂ ୨୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବିକାଶମୂଳକ ସହାୟତା ଘୋଷଣା କରିଛନ୍ତି । ଏସବୁ ପଦକ୍ଷେପ ଉତ୍ତର-ପୂର୍ବାଞ୍ଚଳରେ ନିବେଶ, ନିଯୁକ୍ତି ଏବଂ ବିକାଶଧାରାକୁ ତ୍ୱରାନ୍ୱିତ କରୁଛି । ଫଳରେ ଉତ୍ତର ପୂର୍ବାଞ୍ଚଳ ଏବେ ଆଉ ଭାରତର ବିକାଶ ଯାତ୍ରାରେ ପଛୁଆ ଅଞ୍ଚଳ ହୋଇ ରହିନାହିଁ ବରଂ ଏହା ବିକଶିତ ଭାରତର ଏକ ପ୍ରମୁଖ ବାହକ ରୂପେ ଉଭା ହୋଇଛି । ଏହି ଅଞ୍ଚଳର ପ୍ରତ୍ୟେକ ପର୍ବତ, ଉପତ୍ୟାକା, ଗ୍ରାମ ଦେଶର ସହଭାଗୀ ଭବିଷ୍ୟତର ଅଂଶବିଶେଷ ପାଲଟିଛି ।

Leave A Reply

Your email address will not be published.