ବରଗଡ, (ମୁନ୍ନା ସାହୁ) : ବରଗଡ଼ ଭଟଲି ରାସ୍ତା ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନ ଟିକିରା ଅଞ୍ଚଳରେ ଗତକାଲିଠୁ ବିଦ୍ୟୁତ ସେବା ଠପ ହୋଇରହିଥିଲା । ସ୍ଥାନୀୟ ଲୋକେ ବାରମ୍ବାର ଟାଟା ପାୱାର ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରୁନଥିଲେ । ଏମିତିକି ଫୋନ ବନ୍ଦ କରିଦେଉଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦୁଇଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ପ୍ରଧାନ ଟିକିରା ଅଞ୍ଚଳରେ ଲୋକେ ପିଇବା ପାଣି ଟିକେ ମଧ୍ୟ ପାଇ ପାରିନଥିଲେ । ତେଣୁ ଗତକାଲି ଲୋକେ ବରଗଡ଼ ଭଟଲି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତାରେ ଯିବା ଆସିବା ଠପ ହୋଇଯାଇଥିଲା । ପରେ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଏକ ୨୦୦ କେ.ଭି କ୍ଷମତା ସମ୍ପନ୍ନ ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ତା’ପରେ ଲୋକେ ରାସ୍ତାରୋକରୁ ଓହରିଥିଲେ ।