
- ପଶ୍ଚିମ ଓଡ଼ିଶାର ନବାନ୍ନର ଦର୍ଶନ ବିଶ୍ୱରେ ବିରଳ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡ଼ିଶାର କୃଷି ପର୍ବ ନୂଆଁଖାଇର ଦର୍ଶନ ସମଗ୍ର ବିଶ୍ୱରେ ବିରଳ ଅଟେ । ତେଣୁ ପର୍ବର ମୌଳିକତାକୁ ବଜାୟ ରଖି ଏହାର ସୁଦୂର ପ୍ରସାରି ପାଇଁ ଉଦ୍ୟମ କରିବା ଉଚିତ ବୋଲି ବଲାଙ୍ଗିର ଜିଲ୍ଲା ବକଟି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀ ଓ ପରବାସୀ କୁଟୁମର ମିଳିତ ଆୟୋଜନରେ ଅନୁଷ୍ଠିତ ନୂଆଁଖାଇ ଭେଟ ଅବସରରେ ମତ ପ୍ରକାଶ ପାଇଛି । ଦିନବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ କବି ଲେଖକ ଓ କଳାକାର ମାନେ ସାମିଲ ହୋଇଥିଲେ । ପରବାସୀ କୁଟୁମର ସଭାପତି କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଓ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଂଚଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଲୋଚକ ଭାବେ ଡ଼. ଦେବାଶିଷ ପାଣ୍ଡିଆ ଯୋଗଦେଇ ‘ଆମର ବାହିର ପୁରାତନ ସଂସ୍କୃତି ଆଉ ପରମ୍ପରା’ ଏବଂ ଲକ୍ଷ୍ମଣ କୁମାର ମିଶ୍ର ‘ମାଁ ମାଟିର ଭାଷାରୁ ପ୍ରାଥମିକ ଶିକ୍ଷାର କେତେ ଜରୁରୀ” ଶୀର୍ଷକରେ ଆଲୋଚନା କରିଥିଲେ । ସମ୍ପାଦକ ସଚ୍ଚିଦାନନ୍ଦ ପଧାନ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ପରବାସୀ ଆଜୀବନ ସହିତ୍ୟ ସମ୍ମାନରେ ଡ଼. ଗୋବର୍ଦ୍ଧନ ସାହୁ, ସଂସ୍କୃତି ସମ୍ମାନରେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଯୁବ ପ୍ରତିଭାରେ ଧର୍ମେନ୍ଦ୍ର ପଧାନ ଓ ବୃନ୍ଦାବନ ସାହୁ ସ୍ମୁତି ସମ୍ମାନରେ ରୁକ୍ମଣ ବିଶ୍ଵାଲଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର ‘ସରିଆଁ’ ଉନ୍ମୋଚନ ହୋଇଥିଲା । ଏଥି ସହିତ ପତ୍ରିକା ସଂଗ୍ରାହକ ଭାବରେ ରାଜକିଶୋର ଷଡ଼ଙ୍ଗୀ, ବକଟି ଗ୍ରାମର କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଓ ସାମ୍ବାଦିକ ବିରାଜ ନନ୍ଦ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅଶୋକ କୁମାର ପୁଜାହାରିଙ୍କ ପୌରୋହିତ୍ୟରେ ଓ ଉପସଭାପତି ସଂଗୀତା ପଣ୍ଡା ଷଡ଼ଙ୍ଗୀଙ୍କ ପରିଚାଳନାରେ ଅନୁଷ୍ଠିତ କବିତା ଆସରରେ ଗୁରୁ ଘାସିରାମ ମିଶ୍ର, ଉତ୍ପନ୍ନ କୁମାର ଭୋଇ, ଅନିଲ ଦାଶ, ସୁଶାନ୍ତ ବାଗ, ସାଲେଗ୍ରାମ ହୋତା ପ୍ରମୁଖ ଅତିଥି ଭାବେ ମଂଚାସୀନ ହୋଇଥିଲେ । ସହ ସମ୍ପାଦିକା ମାନିନୀ ମେହେର କବିତା ଆସରକୁ ସଂଯୋଜନା କରିଥିଲେ । ଏଥିରେ ୫୦ରୁ ଅଧିକ ସଂଖ୍ୟାରେ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ । ସେହିପରି ତୃତୀୟ ଅଧିବେଶନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦ୍ମପୁର, ଭବାନୀପାଟଣାର କାରୁଣ୍ୟ କଲା ମଞ୍ଚ, ଭୁବନେଶ୍ୱରର ନୃତ୍ୟପ୍ରଭା ଡାନ୍ସ ଏକାଡେମୀ ଓ ବକଟି ଗ୍ରାମର କୁନି କଳାକାର ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗଣେଶ ମେହେର । ଏହି ଅବସରରେ ଶିବଶଙ୍କର ପୁଜାରୀଙ୍କ ସମ୍ବଲପୁରୀ ଗୁଛା ଓ ଗୌରାଙ୍ଗ ପାଣ୍ଡେଙ୍କର ନୂଆଁ ସକାଳ ପବ୍ଲିକେସନ ତରଫରୁ ବହି ପସରା ଖୋଲା ଯାଇଥିଲା । ଉମାକାନ୍ତ ଭୋଇ, ଦେବାଶିଷ ମେହେର, ମନୀଷ ମହାପାତ୍ର, ଶେଷଦେବ ମେହେର ପୀତବାସ ମେହେର, ତରଣୀ ପଧାନ, ତରଣୀସେନ ମେହେର, ମନୋରଞ୍ଜନ ପୁରୋହିତ, ମହେନ୍ଦ୍ର ପଟେଲ, ଯୁବରାଜ କୁଦେଇ, ଓଜସ୍ୱିନୀ ମାହାର, ମିତ୍ରଭାନୁ ମେହେର, ସୁକେଶ ମାହାର, ଡିସେମ୍ବର ମେହେର, ଯୁଗଳ କିଶୋର ଛତ୍ରିଆ, ସୁକୁମାର ବାଗଙ୍କ ସମେତ ପରବାସି କୁଟୁମର ସମସ୍ତ ସଦସ୍ୟ ଓ ବକଟି ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।