ଭୁବନେଶ୍ୱରରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ଲୋକସଭା ବାଚସ୍ପତି

● ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟସଭା ଉପାଧ୍ୟକ୍ଷ; ଓଡ଼ିଶା ବିଧାନସଭାର ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ; ସଂସଦ ଏବଂ ରାଜ୍ୟ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷମାନେ ଏହି ସମ୍ମିଳନୀରେ କରିବେ ଅଂଶଗ୍ରହଣ
● ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକର ୧୨୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ହେବେ ସାମିଲ
● ସମ୍ମିଳନୀର ବିଷୟବସ୍ତୁ ହେଉଛି – ‘‘ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିକା’’

ଭୁବନେଶ୍ୱର, (ପିଆଇବିୀ) : ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ; ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ । ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ; ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଉଦଘାଟନୀ ସମାରୋହରେ ଯୋଗଦେବେ । ଉଦଘାଟନୀ ଅଧିବେଶନରେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେବେ ଏବଂ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିବେ । ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ ୨୦୨୫) ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି – ‘‘ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିଚା ।’’ ଆସନ୍ତା ୩୦ ଅଗଷ୍ଟରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ଉଦଯାପନୀ ଅଭିଭାଷଣ ସହିତ ଏହି ସମ୍ମିଳନୀ ଉଦଯାପିତ ହେବ । ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସମିତିର ଅଧ୍ୟକ୍ଷ ଭାଷ୍କର ମଢ଼େଇ ଧନ୍ୟବାଦ ଅର୍ପଣ କରିବେ । ଏହି ସମ୍ମିଳନୀରେ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସଶକ୍ତିକରଣ ପାଇଁ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଉପରେ ଆଲୋଚନା କରାଯିବ । ଏହା ସହିତ ୨୦୪୭ ମସିହା ସୁଦ୍ଧା ଏକ ସମାବେଶୀ ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ କଲ୍ୟାଣକାରୀ ନୀତିଗୁଡ଼ିକର କାର୍ଯ୍ୟକାରିତାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯିବ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କର ପ୍ରଥମ ସମ୍ମିଳନୀ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ ମସିହାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଏବଂ ସାମ୍ବିଧାନିକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.