ସପ୍ତମ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଇଁଷା, (ପୁସ୍ତମ ଯୁଆଡି) : ଶନିବାର ଦିନ ବଲାଙ୍ଗଇର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକର ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ଫାଟକ ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ଅନୁଦାନ ଦେଇ ସରକାରୀଭୁକ୍ତ କରିବା ପାଇଁ ତା ୧୬-୦୮-୨୦୨୫ ଶନିବାର ଦିନ ଦାବି ଦିବସରୁ ସମଗ୍ର ରାଜ୍ୟରେ ସଂଘ ତରଫରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ତତ୍ୱାବଧାନରେ ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଜୋରଦାର ଭାବେ ଚାଲିଥିବା ବେଳେ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସଂଯୋଜକଙ୍କ ନେତୃତ୍ୱରେ ଧାରଣା ବେଳେ ସମାନ କାମକୁ ସମାନ ଦରମା ନ୍ୟାୟରେ ସରକାର ନୀତିଗତ ନିଷ୍ପତି ନେଉନଥିବାରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ପ୍ଲାକାର୍ଡ ଧରି ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବା ସହିତ ନାରାବାଜି କରିଥିଲେ, ଏବଂ ଆନ୍ଦୋଳନଟି ୭ ଦିନ ଅତିକ୍ରମ କରିଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ କରିନଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ଅପରପକ୍ଷରେ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇ ସାତ ଦିନ ହେଲା ଓଡ଼ିଆ, ଆଇଟି, ରସାୟନ ବିଜ୍ଞାନ ଓ ଆଦି ବିଷୟ ସଂପୂର୍ଣ୍ଣ ରୂପେ ଠପ୍ ରହିଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଛି, ଏବଂ ସରକାର ଯଥାଶୀଘ୍ର ଏମାନଙ୍କୁ ଉଚିତ ନ୍ୟାୟ ଦେଇ ପାଠପଢ଼ା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.