ଭୁବନେଶ୍ୱର କ୍ୟାପିଟାଲ ରିଜଅନ ରିଙ୍ଗ ରୋଡ୍ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

• ‘ପୂର୍ବଦୋୟ’ ମିଶନରେ ୮,୩୦୭ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଓଡ଼ିଶାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗେମ୍ ଚେଞ୍ଜର ହେବ- ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ
• ୨୦୧୭ ମସିହାରୁ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ଉଦ୍ୟମ କରିଆସୁଥିଲେ କେନ୍ଦ୍ରମନ୍ତ୍ରୀ
• ବିଗତ ଦିନ ମାନଙ୍କରେ ଯେଉଁ ମାନଙ୍କ ହାତରେ ଦାୟିତ୍ୱ ଥିଲା, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ହେଉ ବୋଲି ସେମାନେ ଚାହୁଁନଥିଲେ
• ଦ୍ୱୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ
• ରାମେଶ୍ୱରରୁ ବିଲିପଡା, ବିଲିପଡ଼ାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ତିନୋଟି ପ୍ୟାକେଜରେ ନିର୍ମାଣ ହେବାର ପ୍ରସ୍ତାବ
• ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଆର୍ଥିକ ସମ୍ଭାବନାକୁ ଉପଯୋଗ କରିବାର ମାର୍ଗ ଫିଟିବ
• ମୋଦୀ ସରକାରଙ୍କ ଖଣି ସଂସ୍କାର କାରଣରୁ ଓଡ଼ିଶା ଅଧିକ ଲାଭବାନ ହୋଇଛି
• କୋଟା-ବୁନ୍ଦିରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀକୁ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗେମ୍ ଚେଞ୍ଜର ହେବ । ଏହା ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ । ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳକୁ ସଂଯୋଗ କରିବାକୁ ଥିବା ଏହି ରାଜପଥ ରାମେଶ୍ୱରରୁ ବିଲିପଡା, ବିଲିପଡ଼ାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ତିନୋଟି ପ୍ୟାକେଜରେ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ଦ୍ୱୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ । ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ପ୍ରମୁଖ ଜାତୀୟ ରାଜପଥ ଯଥା ଏନ୍‌ଏଚ୍ ୧୬(ଚେନ୍ନାଇ -କୋଲକାତା), ଏନ୍‌ଏଚ୍-୫୫ (କଟକ–ସମ୍ବଲପୁର), ଏନ୍‌ଏଚ୍‌-୫୭(ଖୋର୍ଦ୍ଧା-ବଲାଙ୍ଗିର) ଏବଂ ଏନ୍‌ଏଚ୍‌-୬୫୫ (କ୍ରିଷ୍ଣାଶ୍ୟାମପୁର-ଅନୁଗୋଳ)କୁ ସଂଯୋଗ କରିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ଜାତୀୟ ରାଜପଥ ପ୍ରକଳ୍ପ ପ୍ରମୁଖ ଅର୍ଥନୈତିକ ହଟସ୍ପଟ୍ ମଧ୍ୟରେ ସଂଯୋଗୀକରଣକୁ ସୁଗମ କରିବ । ବାଣିଜ୍ୟ ଏବଂ ଶିଳ୍ପର ବିକାଶ ପାଇଁ ନୂତନ ରାସ୍ତା ଖୋଲିବ । ପରବହନ ଓ ଯାତାୟତ ସହଜ ହେବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହ ରୋଜଗାରର ନୂଆ ସୁଯୋଗ ତିଆରି କରିବ । ଏହି ସ୍ଥାନୀୟ ଅଞ୍ଚଳର ଆର୍ଥିକ ସମ୍ଭାବନାକୁ ଉପଯୋଗ କରିବାର ମାର୍ଗ ପ୍ରଶସ୍ତ କରିବ । ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବ । ଭୁବନେଶ୍ୱର ବାଇପାସ୍ ସମୃଦ୍ଧିର ରାଜପଥ ଭାବରେ ଉଭା ହେବ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଏହି ପ୍ରକଳ୍ପ ଓଡ଼ିଶାକୁ ଅଭିବୃଦ୍ଧିର ପ୍ରଥମ ସୋପାନରେ ପହଞ୍ଚାଇବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବରୁ ଏହି କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି । ୨୦୧୭ ମସିହାରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅନୁରୋଧ କରି ଆସୁଥିଲେ । ଏନଏଚଏଆଇ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହା ଉପରେ ସେ କହିଛନ୍ତି ଯେ ପୂର୍ବ ସରକାରରେ ଏହି କାମ ଆଗେଇ ପାରୁନଥିଲା । ରାଜ୍ୟରେ ବିଜେପି ସରକାର ହେବା ପରେ ଏହି କାମ ଆଗେଇଛି, ଆଜିର କ୍ୟାବିନେଟ୍ ନିଷ୍ପତି ସେ ଦିଗରେ ପ୍ରତିଫଳନ । ଓଡ଼ିଶାର ବିକାଶକୁ ସର୍ବଦା ପ୍ରାଥମିକତା ଦେବା ପାଇଁ ଶ୍ରୀ ପ୍ରଧାନ ଡବଲ ଇଞ୍ଜିନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମୋଦୀ ସରକାରଙ୍କ ପ୍ରାଥମିକତାରେ ଓଡ଼ିଶା ରହିଛି । ମୋଦୀ ସରକାରଙ୍କ ଖଣି ସଂସ୍କାର କାରଣରୁ ଓଡ଼ିଶା ଅଧିକ ଲାଭବାନ ହୋଇଛି । ବିଗତ ବର୍ଷରେ ଓଡ଼ିଶାର ସଡକପଥ, ରେଳ, ବିମାନବନ୍ଦର ଓ ବନ୍ଦର ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇଛି । ମୋଦୀ ସରକାରରେ ପାରାଦୀପ ବିଶୋଧନାଗାରର ପୂର୍ଣ୍ଣାଙ୍ଗ ସହ ୭୫,୦୦୦ କୋଟି ଟଙ୍କା ବ୍ୟୟରେ ପେଟ୍ରୋକେମିକାଲ କମ୍ପଲେକ୍ସ ଓ ଆନୁଷଙ୍ଗିକ ଶିଳ୍ପ ବିକାଶ ହୋଇଛି । ଭଦ୍ରକରେ ଟେକ୍ସଟାଇଲ ପାର୍କ, ବିରଳ ମୃତ୍ତିକାରେ ସଂସ୍କାର, ପିଏମ ଆବାସ ୨.୦ ଯୋଜନାରେ ଓଡ଼ିଶା ହିଁ ବିଶେଷ ଲାଭବାନ ହେବ । ତେବେ ବିଗତ ଦିନ ମାନଙ୍କରେ ଯେଉଁ ମାନଙ୍କ ହାତରେ ଦାୟିତ୍ୱ ଥିଲା, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ହେଉ ବୋଲି ସେମାନେ ଚାହୁଁନଥିଲେ । ଆଜି ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇଛି । ବିକାଶର ଗତି ଦୁଇ ଗୁଣା ହେଉଛି ବୋଲି ସେ କହିଥିଲେ । ଅପରପକ୍ଷରେ କୋଟା-ବୁନ୍ଦିରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ରାଜସ୍ଥାନବାସୀଙ୍କ ପାଇଁ ଖୁସିର ଖବର । ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଆଗାମୀ ଦିନରେ ରାଜସ୍ଥାନରେ ବିମାନ ଯାତ୍ରାର ବର୍ଦ୍ଧିତ ଚାହିଦା ପୂରଣ କରିବ ସହ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.