ଶ୍ରାବଣ ଶେଷ ସୋମବାର : ଜଳାଭିଷେକ ପାଇଁ ଜଳେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଶ୍ରାବଣ ମାସର ଶେଷ ସୋମବାର, ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଅଞ୍ଚଳର ସମସ୍ତ ଶୈବ ପୀଠ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରିଥିଲେ କାଉଡି଼ଆ । ସମଗ୍ର ଅଞ୍ଚଳରେ ବୋଲ ବମ, ହରହର ବମ, ଧ୍ୱନିରେ ପ୍ରକମ୍ଫିତ ହୋଇ ବିଶେଷ କରି ମହିଳା ଓ କୁନି କାଉଡିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ବାବା ଧବଳେଶ୍ୱର, ଖଡଗେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର ଟିକାବାଲି ନିକଟସ୍ଥ ଡୁଙ୍ଗି, ଚକାପାଦର ଶିବ ମନ୍ଦିର ଭଳି ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିଥିଲେ କାଉଡ଼ିଆ । କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନିକଟସ୍ଥ ନଦୀଘାଟରେ ଶହ ଶହ ସଂଖ୍ୟାରେ ବୋଲବମ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାନସିକ ଧାରୀ ମାନେ ନୂତନ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ନଦୀ ଜଳ ସଂଗ୍ରହ କରି ବାଲୁକା ରାଶିରେ ଶିବଲିଙ୍ଗ ସ୍ଥାପନ କରିବା ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନିକଟସ୍ଥ ଶୈବ ପୀଠକୁ ଯାଇ ଦର୍ଶନ କରିଥିଲେ । ପରେ ବାହୁଙ୍ଗି ସାହାଯ୍ୟରେ ଜଳ ପାତ୍ର କାନ୍ଧ ରେ ଧାରଣ କରି ବିଭିନ୍ନ ଶୈବପୀଠ ଅଭିମୁଖେ ପ୍ରସ୍ଥାନ କରିଥିଲେ । ଅଞ୍ଚଳର ବିଭିନ୍ନ ବୋଲବମ ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.