ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ସଙ୍ଘ ପକ୍ଷରୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

  • ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ଓଷ୍ଟା ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଓଷ୍ଟା ସଙ୍ଘ ପକ୍ଷରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲିଗୁଡ଼ା ବ୍ଲକରେ କାର୍ଯ୍ୟରତ ସ୍କୁଲ କଲେଜ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପକ୍ଷରୁ ଏହି ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ପ୍ରେରଣ କରାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ବାଲିଗୁଡ଼ା ବ୍ଲକ ସଭାପତି ସୁବାସ ଚନ୍ଦ୍ର ସାମଲ, ସମ୍ପାଦକ ଗଙ୍ଗାଧର ନାୟକ, ଉପଦେଷ୍ଟା ସୁରେନ୍ଦ୍ର ମହାରଣା, ଶିକ୍ଷକ ନେତା ସନାତନ ମଲ୍ଲୀକ, ଗୌରାଙ୍ଗ ମହାରଣା, ଶରତ କୁମାର ନାୟକ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ୫୦ରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଏକତ୍ରିତ ହୋଇ ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ତିନି ଘଣ୍ଟା ସମୟ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ, ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ ରେ ଅସଙ୍ଗତି ଦୂର ସହ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ଦାବି କରିଛି ସଂଘ । ଚଳିତ ମାସ ୧୫ ତାରିଖ ସୁଦ୍ଧା ଯଦି ସରକାର ଏହି ସବୁ ଦାବି ପୂରଣ ନ କରନ୍ତି ତେବେ, ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ଵରରଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

Leave A Reply

Your email address will not be published.