ଭୁବନେଶ୍ୱର : ଆଜି ବଳଙ୍ଗା ପୀଡ଼ିତଙ୍କୁ ଦିଆଯିବ ଶେଷ ବିଦାୟ । ପୈତୃକ ଗାଁ ବାୟାବରରେ ସମୂହ ପ୍ରାର୍ଥନା ପରେ ପୀଡ଼ିତାଙ୍କୁ କବର ଦିଆଯିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବାୟାବରରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରବିବାର ରାତି ପ୍ରାୟ ୧୧ଟା ୧୫ ବେଳକୁ ଦିଲ୍ଲୀରୁ ଆସିଥିବା ବିମାନରେ ତାଙ୍କ ମରଶରୀର ପହଞ୍ଚିଥିଲା । ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ନେତାମାନେ ଭିଡ଼ ଲଗାଇଥିଲେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପୂରା ଅଞ୍ଚଳ । ସମସ୍ତେ ଦୁଃଖୀ ଓ ଭାବବିହ୍ୱଳ ହୋଇ ତାଙ୍କୁ ବିଦାୟ ଜଣାଉଥିଲେ । ଉତ୍ତେଜନା ଆଶଙ୍କାରେ ବିମାନବନ୍ଦରକୁ ପୁଲିସ ଛାଉଣି କରାଯାଇଥିଲା । ପ୍ରାୟ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ମୃତଦେହ ବିମାନବନ୍ଦର ଅଣାଯାଇଥିଲା । ଇଣ୍ଡିଗୋ ବିମାନ ଯୋଗେ ତାଙ୍କ ମରଶରୀର ଭୁବନେଶ୍ୱର ଆସିଥିଲା । ବିଜେପି, ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ବିମାନବନ୍ଦରରେ ପହଞ୍ଚିଥିଲେ । ରାତିରେ ବିମାନବନ୍ଦର ଲୋକାରଣ୍ୟ ପାଲଟି ଯାଇଥିଲା । ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ନେତା ରୀତି ଅନୁସାରେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ଭିତରେ ବୟାନବାଜି ଜାରି ରହିଛି । ଏଥିପାଇଁ ପୁଲିସ ପକ୍ଷରୁ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ପୁଲିସ ମରଶରୀରକୁ କର୍ଡନ କରି ନେଇଥିଲା । ମରଶରୀରକୁ ବିଏମ୍ସି ମହାଯାତ୍ରା ଗାଡ଼ିରେ ବିମାନବନ୍ଦରରୁ ସିଧା ପିପିଲି ବଳଙ୍ଗାର ବାୟାବର ଗାଁକୁ ନିଆଗଲା । ସୋମବାର ସମୂହ ପ୍ରାର୍ଥନା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସ୍ଥାନୀୟ ସୂତ୍ରରୁ ସୂଚନା ମିଳିଛି ।

Next Post