ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂଯୁକ୍ତ ଜାତି ସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଓ ଶାନ୍ତା ମେମୋରିଆଲ ରିହାବିଲିଟେସନ ସେଣ୍ଟର୍ (ଏସ.ଏମ.ଆର.ସି) ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଚଳିତ ମାସ ୧ ତାରିଖରେ ଛତ୍ରପୁର ସ୍ଥିତ ଡି.ଆର.ଡି.ଏ, ଜଉଗଡ ସମ୍ମିଳନୀ ଗୃହରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟାଲୋଚନା ଅନୁଷ୍ଠିତ ହୋଯାଇଛି । କାର୍ଯ୍ୟକ୍ରମଟିକୁ ଗଞ୍ଜାମ ଜିଲ୍ଲାର ଜିଲ୍ଲାପରିଷଦର ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଏସ.ଏମ.ଆର.ସିର କାର୍ଯ୍ୟକାରୀ ଉପ ସଭାପତି ତଥା ପ୍ରକଳ୍ପ ର ଉପଦେଷ୍ଟା ପ୍ରଫେସର୍ ଆଶା ହଂସ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଫାଓ ତରଫରୁ ରୁତମ୍ବରା ପ୍ରଜ୍ଞାମବାଦିନୀ ଓ ଆଇଓଏମ୍ ପକ୍ଷରୁ ଡି. ନବନିତା ଦାସ, ପ୍ରାଣୀଧନ ଉପ ନିର୍ଦ୍ଦେଶକ ଡକ୍ଟର ଶଶିକାନ୍ତ ମହାନ୍ତି, ଗଞ୍ଜାମ ତାଙ୍କର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ଃ ଅଜୟ କୁମାର କର ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏସ.ଏମ.ଆର.ସି ର ଜେଣ୍ଡର ଏକ୍ସପର୍ଟ ପ୍ରଫେସର୍ ସ୍ଵର୍ଣ୍ଣମୟୀ ତ୍ରିପାଠୀ ଓ ଚାଇଲ୍ଡ ଏକ୍ସପର୍ଟ୍ ପ୍ରଣତି ମିଶ୍ର, ସୋନପୂର, କନ୍ହେଇପୁର, ଗୋଖରକୁଦାରେ ହୋଇଥିବା ସମୂହ ଆଲୋଚନାର ନିଷ୍କର୍ଷକୁ ଉପସ୍ଥାପନା କରିଥିଲେ । ଏହି ବିଶେଷ ଆଲୋଚନା କାର୍ଯ୍ୟକ୍ରମରେ ନାରୀ, ଶିଶୁ ଓ ଯୁବ ଗୋଷ୍ଠୀଙ୍କ ଉପରେ ଜଳବାୟୁ ପରିବର୍ତ୍ତନ, ସ୍ଥାନାନ୍ତରଣ ଓ ଗ୍ରାମୀଣ ଜୀବିକାର ପ୍ରସଙ୍ଗ କେତେ ସମ୍ବେଦନଶୀଳ ସେ ସଂପର୍କରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏବଂ ଗଞ୍ଜାମ, ଖଲିକୋଟ ଓ ଚିକିଟି ବ୍ଲକର ପଂଚାୟତ ଅଧିକାରୀ, ସରପଞ୍ଚ ଓ ଅନ୍ୟ ସେବାପ୍ରଦାନକାରୀ ବ୍ୟକ୍ତି ବିଶେଷ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିବାରେ ସେବା ଅନୁଷ୍ଠାନର ସମ୍ପାଦିକା ଅଳକା ସାହୁ, ଶ୍ରୁତି, ଗୀତା ଏବଂ ଆଡ.ଏଟ.ଆକ୍ସନର ଏମ.ଆର.ସି ସଂଯୋଜକ ବିପ୍ଳବ କୁମାର ବେହେରା, ୱାସନର ଜିଲ୍ଲା ସଂଯୋଜକ ରିଙ୍କୁ ଗିରି ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବର୍ଗର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ପ୍ରତିନିଧି ଗଣ ଯୋଗଦେଇ ନିଜ ନିଜର ଜିଲ୍ଲାର ଦାଦନ ଶ୍ରମିକ ହଟାଇବା, ଗ୍ରାମୀଣ ପରିବେଶରେ ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା, ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ, ପାନୀୟ ଜଳ, ପରିମଳ ସେବା ବିପର୍ଯ୍ୟସ୍ତ ଆଡ଼କୁ ଅଗ୍ରସର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଛି । ଏହାର ସମସ୍ୟା ଉପରେ ଜିଲ୍ଲାପ୍ରଶାସନର କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଧ୍ୟାନଦେଇ ବିହିତ ପଦକ୍ଷେପ ଗ୍ରହଣ କରି ସଫଳ ରୂପାୟନ ଆଣିବାକୁ ପ୍ରତିନିଧିଗଣ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏସ.ଏମ.ଆର.ସି ତରଫରୁ ପ୍ରଣତି ମିଶ୍ର ଧନ୍ୟବାଦ୍ ଜଣାଇଥିଲେ ।
