- ଜଙ୍ଗଲ ଆରମ୍ଭରୁ ଘଣ୍ଟେଶ୍ୱରୀ ମନ୍ଦିର ଯାଏଁ କାଦୁଅରେ ପଚପଚ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁ ଶେଷମୁଣ୍ଡରୁ ଏକ ରାସ୍ତା ରହିଛି, ଯାହା ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କର ପୀଠକୁ ସଂଯୋଗ କରୁଛି । ସେହି ରାସ୍ତା ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପ୍ରକାଶ ଥାଉକି, ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ନୃସିଂହନାଥ ଓ ହରିଶଙ୍କର ପୀଠ ସାରା ଓଡ଼ିଶାରେ ପରିଚିତ । ଏହି ମନ୍ଦିରକୁ କେବଳ ଓଡ଼ିଶା ନୁହେଁ ଛତିଶଗଡ଼, ମଧ୍ୟପ୍ରଦେଶ ସହ ଅନ୍ୟାନ୍ୟ ବହୁ ରାଜ୍ୟର ପର୍ଯ୍ୟଟକ ଆସିଥାନ୍ତି । ଏକା ସହ ଦୁଇଟି ମନ୍ଦିର ଦର୍ଶନ କରିବା ପାଇଁ ଏକ ରାସ୍ତା ରହିଛି, ଯାହା ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତକୁ ସଂଯୋଗ କରୁଛି । ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁ ଶେଷ ମୁଣ୍ଡରୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ବରଗଡ଼ ଜିଲ୍ଲା ସୀମାନ୍ତ ଘଣ୍ଟେଶ୍ୱରୀ ମନ୍ଦିର ଯାଏଁ ରାସ୍ତା କାଦୁଅ ପଚପଚ ହୋଇ ପଡିଛି । ଘଣ୍ଟେଶ୍ବରୀ ମନ୍ଦିରରୁ ତଳକୁ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ହରିଶଙ୍କର ମନ୍ଦିରକୁ ସିଧା ରାସ୍ତା ରହିଛି । ବହୁ ପର୍ଯ୍ୟଟକ ବ୍ୟତୀତ ବ୍ୟବସାୟ, ଜନସାଧାରଣ ପ୍ରତିଦିନ ଏହି ରାସ୍ତା ଦେଇ ଯିବାଆସିବା କରୁଛନ୍ତି । ହେଲେ ବର୍ଷା ସମୟରେ ଏହି ରାସ୍ତାଟି ଶୋଚନୀୟ ହୋଇପଡୁଛି । ବର୍ତ୍ତମାନ ଶ୍ରାବଣ ମାସ ଯୋଗୁଁ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଲାଗିରହିଛି ବହୁ ଗାଡ଼ିମଟର ଯିବାଆସିବା କରୁଛି । ହେଲେ ରାସ୍ତା ଅବସ୍ଥା କାଦୁଅ ପଚପଚ ହେଉଥିବାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ସ୍ଥାନେ ସ୍ଥାନେ ବର୍ଷାପାଣି ଜମି ରହିଛି । ପୁଣି ଖାଲଖମା ଭରି ରହିଥିବାରୁ ଶ୍ରଦ୍ଧାଳୁ ତଥା ଜନସାଧାରଣ ଯିବାଆସିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଣୁ ବରଗଡ଼ ଡିଏଫଓ ଓ ଜିଲ୍ଲା ପ୍ରଶାସନ ଡୁଡୁକିଝରିଆ ଜଙ୍ଗଲ ଆରମ୍ଭରୁ ଘଣ୍ଟେଶ୍ୱରୀ ମନ୍ଦିର ଯାଏଁ ଜଙ୍ଗଲ ଯାଏଁ ଦୁଇ ପାର୍ଶ୍ୱରେ ଡାଇଭରସନ କରି ପକ୍କା ରାସ୍ତା ତିଆରି କରିବାକୁ ଜନସାଧାରଣ ତଥା ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ ବୋଲି ଦାବି ହୋଇଛି ।