ବଲାଙ୍ଗିର, (କେପିଏନ୍ଏସ୍) : ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନ ସହ ଭଲ ପାଠ ପଢିବା ଉଚିତ୍ ଓ ସଚେତନ ନାଗରିକ ହୋଇ ସମାଜ ଗଠନରେ ଭାଗୀଦାର ହୁଅନ୍ତୁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ +୨ ଓ +୩ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରେରଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆଜି ମହାବିଦ୍ୟାଳୟରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳ ସଚିବ ହରପ୍ରସାଦ ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ିବା ସହ ଉତ୍ତମ ଚରିତ୍ରର ମଣିଷ ହେବା, ବଡ଼ ମାନଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି କହିଥିଲେ । ଡ଼. ଅଶୋକ କୁମାର ମହାରଣା, ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ, ହୃଷୀକେଶ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ପରିଚୟ ଦେବା ସହ ନିୟମିତ ଭଲ ପାଠ ପଢ଼ିବା ଓ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଡ଼. କୌତୁକ ପନ୍ଦର ସଭାପତିତ୍ଵ କରି ମହାବିଦ୍ୟାଳୟର ଇତିହାସ, ଶୈକ୍ଷିକ ପରିବେଶ ଓ ନିଜ ମହାବିଦ୍ୟାଳୟକୁ ଭଲ ପାଇବା ସହ ପରିଶ୍ରମୀ ଚାଟ ହେବାକୁ କହିଥିଲେ । ଅଧ୍ୟାପକ ଆଶୀର୍ବାଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ହୃଷିକେଶ ଦାସ ଧନ୍ୟବାଦ୍ ଦେଇଥିଲେ । ସହକାରୀ ପ୍ରଫେସର ବନ୍ଦନା ବାର୍ ,ଡ଼. ମଧୁସ୍ମିତା ମିଶ୍ର, ଡ଼. ରମଣୀ ନାଏକ ପ୍ରମୁଖ ଉପସ୍ଥିତ ରହି ସଦୂପଦେଶ ଦେଇଥିଲେ । ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ଯୋଗଦେଇଥିଲେ । ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ ନବାଗତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Next Post