oom

କଣ୍ଟାବାଞ୍ଜି ତହସିଲର ଗାଁ ଗାଁରେ ବେଆଇନ ଇଟାଭାଟି : ତହସିଲ ଓ ବନ ବିଭାଗର ଅଣଦେଖା, ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱରୁ ବଞ୍ଚିତ ପ୍ରଶାସନ : ଇଟାଭାଟି ମାଲିକଙ୍କ କବ୍‌ଜାରେ ସରକାରୀ ପ୍ରୋଜେକ୍ଟର ପାଣି ଓ ଜମି

jsmm

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ତହସିଲ ଅଧିନରେ ଥିବା ବିଭିନ୍ନ ଗାଁ ଗାଁରେ ବେଆଇନ ଇଟାଭାଟି ମାନ ହୋଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କୁଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ତହସିଲର ବିଭିନ୍ନ ଗାଁ ଗୁଡିକର ନିୟମିତ କାମଧନ୍ଧା ନ ପାଇ ବିଭିନ୍ନ ରାଜ୍ୟର ଇଟାଭାଟିକୁ ଦାଦନ ସାଜୁଥିଲେ । ଗତ ମାର୍ଚ୍ଚ ୨୦୧୯ରୁ କରୋନା ମହାମାରି ରୋଗ ସାରା ବିଶ୍ୱରେ ବ୍ୟାପିଥିଲା ଯାହା ସାଧାରଣ ଜନତା ଠାରୁ ଶିଳ୍ପପତିମାନେ ମଧ୍ୟ ବାଦପଡି ନଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ । କାମଧନ୍ଦା ନ ପାଇ ଅଞ୍ଚଳର ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହୁଅନ୍ତି । ଆନ୍ଧ୍ରା, ତାମିଲନାଡୁ, ତେଲେଙ୍ଗାନାର ଇଟାଭାଟିକୁ ଦାଦନ ଖଟିବାକୁ ଯାଆନ୍ତି । ଚଳିତ ବର୍ଷ କରୋନା ମହାମାରି ଯୋଗୁଁ ରେଳଚଳାଚଳ ବନ୍ଦ ରହିବାରୁ ଦାଦନ ଚାଲାଣ କିଛି ମାତ୍ରାରେ ଫରକ ପଡିଥିଲେ ମଧ୍ୟ ନିୟମିତ ଦାଦନ ଚାଲାଣ କରୁଥିବା ସର୍ଦ୍ଦାରମାନେ ଅଞ୍ଚଳର ବିଭିନ୍ନ ଗାଁ ଗାଁରେ ଇଟାଭାଟି ମାନ କରିଛନ୍ତି । ଗାଁ ଗାଁ କୁଟିର ଶିଳ୍ପ ଭଳି ଇଟାଭାଟି ମାନ ଗଢି ଉଠିଥିବା ବେଳେ ସଂପୃକ୍ତ ଭାଟି ମାଲିକମାନେ କୌଣସି ବିଭାଗୀୟ ଅନୁମତି କିମ୍ବା ସରକାରୀ ରାଜସ୍ୱ ନ ଦେଇ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଫାଙ୍କୁ ଥିବାର ଅଭିଯୋଗ ହେଉଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସହ ବନବିଭାଗ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନ ନେବା ଦ୍ୱାରା ଇଟାଭାଟି ଦ୍ୱାରା ପରିବେଶ ନଷ୍ଟ ହେଉଛି । ଇଟାଭାଟି ମାଲିକ ମାନେ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଉଥିବା ବେଳେ ସେମାନଙ୍କୁ ଉଚିତ ମଜୁରୀ ଦିଆଯାଉନାହିଁ କିମ୍ବା ଇଟାଭାଟି ସ୍ଥଳରେ ଶ୍ରମିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ପରିବେଶ ମଧ୍ୟ କରାଯାଇ ନାହିଁ । କାର୍ଯ୍ୟରତ ଶ୍ରମିକମାନେ ନିୟମ ମୁତାବକ ଭାଟି ମାଲିକଠାରୁ କୌଣସି ସୁବିଧା ସୁଯୋଗ ପାଇ ପାରୁନାହାନ୍ତି । କେତେକ ଇଟାଭାଟି ମାଲିକ ମାନେ ସରକାରୀ ଜାଗାରେ ଇଟାଭାଟି କରି ସରକାରୀ ଜମିର ମାଟିକୁ ବ୍ୟବହାର କରି ଜମିକୁ ନିଜ କବ୍ଚାରେ ରଖିଛନ୍ତି । ଅନ୍ୟପଟେ କେତେକ ସରକାରୀ କ୍ଷୁଦ୍ର ଜଳସେଚନ ପୋଜେକ୍ଟ ନିକଟରେ ପ୍ରଭାବଶାଳୀ ଇଟାଭାଟି ମାଲିକମାନେ ଇଟାଭାଟି କରି ପ୍ରୋଜେକ୍ଟର ପାଣି ମଧ୍ୟ ବ୍ୟବହାର କରିବାରୁ ଉକ୍ତ ଅଞ୍ଚଳର ଗ୍ରାମବାସୀ ପାଣି ଦୂଷିତ ହେଉଥିବା ଅଭିଯୋଗ କରିଛନ୍ତି । ଯାହା ହିଆଁଲ ପଞ୍ଚାୟତ ଅଧିନସ୍ଥ ଡୁମେରଚୁଆଁ ଢୁଷାମୁଣ୍ଡାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର ପ୍ରୋଜେକ୍ଟ ପରିସରରେ ଇଟାଭାଟି କରି ଉଭୟ ସରକାରୀ ଜମି ଓ ପାଣି ବ୍ୟବହାର କରୁଛନ୍ତି । ଏଥିପ୍ରତି ତହସିଲ, କ୍ଷୁଦ୍ର ଜଳସେଚନ ବିଭାଗ କିମ୍ବା ବନ ବିଭାଗ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ଇଟାଭାଟି ମାଲିକ ମାନେ ବିନ୍ଦାସରେ ସରକାରୀ ଜମି, ଜଙ୍ଗଲର କାଠ ଏବଂ ପ୍ରୋଜେକ୍ଟ ପାଣି ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି । ଡୁମେରଚୁଆଁ ଓ ଢୁଷାମୁଣ୍ଡା ଏମ.ଆଇ. ପ୍ରୋଜେକ୍ଟ ପରିସରରେ ଗଢି ଉଠିଥିବା ଇଟାଭାଟି ଯୋଗୁଁ ପ୍ରୋଜେକ୍ଟର ପାଣି ଦୂଷିତ ହେବା ସହ ପାଣିସ୍ତର କମୁଥିବାରୁ ଚଳିତ ଗ୍ରୀଷ୍ମ ଦିନରେ ପାଣିର ଅଭାବ ଦେଖାଦେବ ବୋଲି ଉଭୟ ଗ୍ରାମର ଜନସାଧାରଣ ଉଚ୍ଚକତୃପକ୍ଷଙ୍କ କାର୍ଯ୍ୟନୁଷ୍ଠାନ ଦାବୀ କରିବା ସହ ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.