
- ରେଳପଥ ସମନ୍ୱୟ କମିଟିସଭ୍ୟ ସମ୍ବର୍ଦ୍ଧିତ
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧ ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳର ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି । ବୌଦ୍ଧ ଜିଲ୍ଲାକୁ ବହୁପ୍ରତିକ୍ଷିତ ଟ୍ରେନ ଗଡିଥିବାରୁ ବୌଦ୍ଧ ଜିଲ୍ଲାବାସୀ ଖୁବ ଉତ୍ସାହିତ ହୋଇଛନ୍ତି । ସେଥିପାଇଁ ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ବୌଦ୍ଧ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଲୋକ ସମ୍ମୀଳିତ ହୋଇ ରେଳଚଳାଚଳକୁ ସ୍ୱାଗତ କରିଛନ୍ତି । ଠିକ ଅପରାହ୍ନ ୪.୩୦ରେ ବୌଦ୍ଧ ଷ୍ଟେସନରୁ ବୌଦ୍ଧ-ସମ୍ବଲପୁର ରେଳ ଚଳାଚଳ ଆରମ୍ଭ ହୋଇଥିଲା । ଦୀର୍ଘ ୫୦ବର୍ଷର ସ୍ୱପ୍ନ ସାକାର ହୋଇଥିବାରୁ ବୌଦ୍ଧବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବୌଦ୍ଧ ଷ୍ଟେସନରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀଦଳର ଉପମୁଖ୍ୟସଚେତକ ସରୋଜ ପଧାନ, ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତକୁମାର ପଧାନ,ଏସପି ରାହୁଲ ଗୋୟଲ ଓ ସମ୍ବଲପୁର ରେଲୱେ ଡିଆରଏମ ସୁଭାଷଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପଧାନ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ କରି ସରକାରଙ୍କୁ ଚାପ ପକାଇଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମନ୍ୱୟ କମିଟିର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗିର ଜିଲ୍ଲାରୁ ଯୋଗଦେଇଥିବା ସମନ୍ୱୟ ସମିତିର ଅଧ୍ୟକ୍ଷ ବରିଷ୍ଠ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ଓ ବରିଷ୍ଠ ଆଇନଜୀବି ଭବାନୀଶଙ୍କର ଶତପଥିଙ୍କ ନେତୃତ୍ୱରେ ଯାଇଥିବା ଟିମରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କମିଟି ସଦସ୍ୟ ରମେଶ ଅଗ୍ରୱାଲଙ୍କୁ ମୁଖ୍ୟଅତିଥି ବିଧାୟକ ସରୋଜ ପଧାନ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଠିକ ସେହିପରି ସୋନପୁର ଜିଲ୍ଲାରୁ ଯାଇଥିବା ଶ୍ରମିକନେତା ଗୋବିନ୍ଦ ମହାରଣା, ବୌଦ୍ଧ ଜିଲ୍ଲାର ପ୍ରତ୍ୟୁଷ ମିଶ୍ର, ବିଶେଶ୍ୱର ପୃଷ୍ଟି, ଦେବାଶିଷ ପୁରୋହିତ, ରଘୁନାଥ ଷଢଙ୍ଗୀ, ଯୁଗଲ ସାମଲଙ୍କୁ ଅତିଥିଗଣ ସମ୍ବର୍ଦ୍ଧନା ଦେଇଥିଲେ । ଆଜିଠାରୁ ବୌଦ୍ଧରୁ ସମ୍ବଲପୁରକୁ ଓ ପୁରୁଣାକଟକରୁ ବୌଦ୍ଧକୁ ଦୁଇଟି ଟ୍ରେନଚଳାଚଳର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଳବିଭାଗର ଅଧିକାରୀ କର୍ମଚାରୀ ତଥା ବୌଦ୍ଧ ଜିଲ୍ଲାର ପ୍ରଶାସନିକ ଅଧିକାରୀଗଣ ଯୋଗଦେଇଥିଲେ । ପ୍ରକାଶ ଯେ,ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଗତ ୧୯୯୪ ମସିହାରୁ ଅନୁମୋଦନ ଲାଭ କରିଥିଲେ ହେଁ କାମ ତ୍ୱରାନ୍ୱିତ ହେଉନଥିଲା । ବିଭିନ୍ନ ସମୟରେ ଏନେଇ ବଲାଙ୍ଗିର, ସୋନପୁର, ବୌଦ୍ଧ, ଫୁଲବାଣୀ, ନୟାଗଡବାସୀ ଆନ୍ଦୋଳନ କରି ଆସୁଥିଲେ । ଗତ ୨୦୧୫ ମସିହାରେ ରେଳବିଭାଗ ଓ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତି ହୋଇ କାମକୁ ତ୍ୱରାନ୍ୱିତ କରାଗଲା । କିନ୍ତୁ ତଥାପି ୨୦୨୦ ମସିହା ସୁଦ୍ଧା ସେତେଟା ଅଗ୍ରଗତି ହୋଇପାରିଲା ନାହିଁ । ତେଣୁ ଗତ ୨୦୨୨ ମସିହାରେ ବୌଦ୍ଧଠାରେ ଏକ ବୈଠକ କରାଯାଇ ଏକ ସମନ୍ୱୟ କମିଟି ଗଠନ କରାଯାଇ ବଲାଙ୍ଗିରର ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ବୌଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ବୈଠକ କରାଯାଇ ତିନି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା । ଏପରିକି ତତକାଳିନ ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତଙ୍କୁ କମିଟି ସଦସ୍ୟ ଭେଟି ଜଙ୍ଗଲ ଓ ପରିବେଶ ଅନୁମତି କରାଇବାକୁ ଆଲୋଚନା କରାଯାଇଥିଲା । କମିଟି ସଦସ୍ୟମାନେ ଭୁବନେଶ୍ୱର ଯାଇ ସେଠାରେ ବିଭିନ୍ନ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରାଯାଇ ପ୍ରକଲ୍ଲ୍ପର ପରିବେଶ ଅନୁମତି କରାଇବାରେ ସଫଳ ହୋଇଥିଲେ । ବିଭିନ୍ନ ସମୟରେ କେନ୍ଦ୍ର ରେଳମନ୍ତ୍ରୀ, ଅନ୍ୟାନ୍ୟମନ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ମଧ୍ୟ କମିଟି ଭେଟି ଆଲୋଚନା କଲାପରେ ରେଳବିଭାଗ ଏହାର ବଜେଟ ବଢାଇ କାମକୁ ତ୍ୱରାନ୍ୱିତ କରାଇଥିଲେ । ସାଂସଦ ଶ୍ରୀମତୀ ସିଂଦେଓ ପାର୍ଲାମେଣ୍ଟରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିବା ସହିତ ରେଳମନ୍ତ୍ରୀଙ୍କୁ ଭେଟି କାମ ତ୍ୱରାନ୍ୱିତ କରିବାକୁ ଦାବି କରି ଆସୁଥିଲେ । ଶେଷରେ ଆଜି ବୌଦ୍ଧର ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦୨୬ ସୁଦ୍ଧା ବହୁପ୍ରତିକ୍ଷିତ ଖୋର୍ଦ୍ଧା ରେଳପଥ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ରେଳପଥ ରାସ୍ତାରେ ପ୍ରାୟ ୮ଟି ଟନେଲକାମ ମଧ୍ୟ ସରିଯାଇଥିବା ସୂଚନା ମିଳିଛି । ଆଉ ମାତ୍ର ୭୨ କିମି ରାସ୍ତା କାମ ସରିଲେ ୨୦୨୬ ସୁଦ୍ଧା ରେଳ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।