oom

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫

jsmm
  • ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ୱକୁ ଭାରତର ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଯୋଗ ଆଜି ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି । ‘ଯୋଗ’ ଶବ୍ଦ ସଂସ୍କୃତ ମୂଳ ଧାତୁ ‘ଯୁଜ’ରୁ ଆସିଛି ଯାହାର ଅର୍ଥ ‘ଯୋଗ କରିବା’ କିମ୍ବା ‘ଏକୀକରଣ’ । ଏହା ଶରୀର ଏବଂ ମନ, ବିଚାର ଏବଂ କାର୍ଯ୍ୟ, ମଣିଷ ଏବଂ ପ୍ରକୃତି ଏବଂ ଏକ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟ ମଧ୍ୟରେ ସନ୍ତୁଳନର ପ୍ରତୀକ ପାଲଟିଛି । ଯୋଗର ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ସ୍ୱୀକାର କରି, ଜାତିସଂଘ ୧୧ ଡିସେମ୍ବର ୨୦୧୪ରେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବର ୨୦୧୪ରେ ଜାତିସଂଘ ସାଧାରଣ ସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ୧୭୫ଟି ଦେଶ ଦ୍ୱାରା ଅନୁମୋଦନ କରାଯାଇଥିଲା । ୨୧ ଜୁନକୁ ବଛାଯାଇଥିଲା କାରଣ ଏହା ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ । ପୁଣି ବିଭିନ୍ନ ସଂସ୍କୃତିରେ ମହତ୍ୱ ରଖୁଥିବା ଏହି ଦିନଟି ପ୍ରକୃତି ଓ ମାନବ ସୁସ୍ଥତାର ଏକ ପ୍ରତୀକ । ୨୦୧୫ ମସିହାରେ ଏହାର ପ୍ରଥମ ସଂସ୍କରଣ ଠାରୁ, ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ତଥା ବିଭିନ୍ନ ରାଜ୍ୟ ସରକାର, ବିଦେଶରେ ଥିବା ଭାରତୀୟ ମିଶନ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକର ସକ୍ରିୟ ସମର୍ଥନ ସହିତ ଭାରତ ସାରାବିଶ୍ୱରେ ଏହି ଉତ୍ସବର ନେତୃତ୍ୱ ନେଇ ଆସୁଛନ୍ତି । ଲୋଗୋର ମହତ୍ୱ ନମସ୍କାର ଭଙ୍ଗୀ ସଂଯୋଗର ପ୍ରତୀକ-ବ୍ୟକ୍ତିଗତ ଚେତନା ଓ ଜାଗତିକ ଚେତନା ମଧ୍ୟରେ ସଂଯୋଗ, ମନ ଓ ଶରୀର, ମଣିଷ ଓ ପ୍ରକୃତି ମଧ୍ୟରେ ଚମତ୍କାର ସମନ୍ୱୟ, ସ୍ୱାସ୍ଥ୍ୟ ଓ ସୁସ୍ଥତା ଲାଗି ଏକ ସାମଗ୍ରିକ ପ୍ରୟାସ । ବାଦାମୀ ପତ୍ରଗୁଡ଼ିକ ପୃଥିବୀ ଉପାଦାନର ପ୍ରତୀକ, ସବୁଜ ପତ୍ରଗୁଡ଼ିକ ପ୍ରକୃତିର ପ୍ରତୀକ, ନୀଳ ରଙ୍ଗ ଜଳ ଉପାଦାନର ପ୍ରତୀକ, ଉଜ୍ଜ୍ୱଳତା ଅଗ୍ନି ଉପାଦାନର ପ୍ରତୀକ ଏବଂ ସୂର୍ଯ୍ୟ ଶକ୍ତି ଏବଂ ପ୍ରେରଣାର ଉତ୍ସ । ଏହି ଲୋଗୋ ମାନବତା ପାଇଁ ସଦ୍ଭାବ ଏବଂ ଶାନ୍ତିକୁ ପ୍ରତିଫଳିତ କରେ, ଯାହା ଯୋଗର ସାରତତ୍ୱ ।
ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ
ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଉତ୍ସାହ ବଢିଚାଲିଛି । ୨୦୧୮ରେ ବିଶ୍ୱବ୍ୟାପୀ ୯.୫୯ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିବାବେଳେ ୨୦୨୪ରେ ମୋଟ ୨୪.୫୩ କୋଟି ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ, ଯାହା ଦର୍ଶାଉଛି ଯେ ଯୋଗ ସାରା ବିଶ୍ୱରେ ସୁସ୍ଥତାର ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏବର୍ଷ ଲାଗି ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷ ହେଉଛି “ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଏହା ଭାରତର ଜି-୨୦ ସଭାପତିତ୍ୱ ସମୟରେ ଥିବା ଶୀର୍ଷକ ‘ଏକ ବିଶ୍ୱ-ଏକ ପରିବାର-ଏକ ଭବିଷ୍ୟତ’ ସହ ମେଳ ଖାଉଛି । ଗତ ଦଶନ୍ଧି ମଧ୍ୟରେ, ଅନ୍ତର୍ଜାତୀୟ ଯୋଗ ଦିବସ ଏକ ପରିବର୍ତ୍ତନକାରୀ ଶକ୍ତିରେ ପରିଣତ ହୋଇଛି, ଯାହା ସଂସ୍କୃତି ଏବଂ ସମ୍ପ୍ରଦାୟ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରୁଛି । ଏହି ଦଶନ୍ଧି ଧରି ଚାଲିଥିବା ଯାତ୍ରାକୁ ସ୍ମରଣୀୟ କରିବା ପାଇଁ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ରେ ଦଶଟି ସିଗନେଚର ଇଭେଣ୍ଟ ପ୍ରଦର୍ଶିତ ହେବ, ଯାହା ଯୋଗର ଲୋକପ୍ରିୟତା ଓ ପ୍ରସାରକୁ ଆହୁରି ବୃଦ୍ଧି କରିବ । ଏହି ୧୦ଟି ସିଗନେଚର ଇଭେଣ୍ଟ ହେଲା ଯୋଗ ସଂଗମ, ଯୋଗ ବନ୍ଧନ, ଯୋଗ ପାର୍କ, ଯୋଗ ସମାବେଶ, ଯୋଗ ପ୍ରଭାବ, ଯୋଗ କନେକ୍ଟ, ହରିତ ଯୋଗ, ଯୋଗ ଅନପ୍ଲଗଡ୍, ଯୋଗ ମହାକୁମ୍ଭ ଓ ସମୟୋଗ । ଯୋଗ ସଂଗମ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ ଯାହାକି ଜୁନ ୨୧ ସକାଳ ୬.୩୦ରୁ ସକାଳ ୭.୪୫ ପର୍ଯ୍ୟନ୍ତ ସାରା ଭାରତରେ ୧ ଲକ୍ଷରୁ ଅଧିକ ସ୍ଥାନରେ ଅନୁଷ୍ଠିତ ହେବ । ଏସବୁ ଯୋଗାଭ୍ୟାସ ଶିବିର ସାଧାରଣ ଯୋଗ ପ୍ରୋଟୋକଲ (ସିୱାଇପି) ଉପରେ ଆଧାରିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ । ଏହି ସାମୂହିକ ଉତ୍ସବର ଲକ୍ଷ୍ୟ ଯୋଗର କାଳଜୟୀ ଅଭ୍ୟାସ ଏବଂ ଆଜିର ବିଶ୍ୱରେ ଏହାର ସ୍ଥାୟୀ ପ୍ରାସଙ୍ଗିକତା ପ୍ରତି ଆମର ସମାନ ପ୍ରତିବଦ୍ଧତାକୁ ଦର୍ଶାଇବା । ସାଧାରଣ ଯୋଗ ପ୍ରୋଟୋକଲ ହେଉଛି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମୁଖ ଯୋଗ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନମାନଙ୍କ ସହିତ ପରାମର୍ଶ କରି ବିକଶିତ ଏକ ମାନକୀକୃତ ଯୋଗ ଅଭ୍ୟାସ । ଏହା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ ପାଇଁ ଡିଜାଇନ୍ କରାଯାଇଛି ଏବଂ ସମସ୍ତ ବୟସ ଗୋଷ୍ଠୀ ଏବଂ ଫିଟନେସ୍ ସ୍ତରର ଲୋକଙ୍କ ପାଇଁ ଏହା ଉପଯୁକ୍ତ । ଅନ୍ତର୍ଜାତୀୟ ଯୋଗ ଦିବସରେ ଲୋକମାନଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ସେଗୁଡ଼ିକୁ ହେଉଛି ୧୦୦ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୭୫ ଦିନ କାଉଣ୍ଟଡାଉନ ଇଭେଣ୍ଟ, ୫୦ ଦିନ କାଉଣ୍ଟଡାଉନ ଇଭେଣ୍ଟ ଓ ୨୫ ଦିନ କାଉଣ୍ଟଡାଉନ ଇଭେଣ୍ଟ ।
ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୫
ଯୋଗକୁ ପ୍ରୋତ୍ସାହିତ ଏବଂ ଯୋଗାଭ୍ୟାସ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେବାପାଇଁ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ଉଦ୍ଦିଷ୍ଟ । ମୋଟ ୪ଟି ପୁରସ୍କାର ଥିବାବେଳେ ସେଥିମଧ୍ୟରୁ ୨ଟି ଅନ୍ତର୍ଜାତୀୟ ଓ ୨ଟି ଜାତୀୟ । ପ୍ରତ୍ୟେକ ବିଜେତା ବ୍ୟକ୍ତି ଏବଂ ସଂଗଠନ ୨୫ ଲକ୍ଷ ଟଙ୍କା, ଏକ ଟ୍ରଫି ଏବଂ ଏକ ପ୍ରମାଣପତ୍ର ପାଆନ୍ତି । ୨୦୨୫ ପାଇଁ ଆବେଦନ ବନ୍ଦ ହୋଇଯାଇଛି; ବିଜେତାମାନଙ୍କୁ ୨୧ ଜୁନ୍ ୨୦୨୫ ରେ ଘୋଷଣା କରାଯିବ ।
ଉପସଂହାର
୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ଦିନିକିଆ ସମାରୋହ ନୁହେଁ, ବରଂ ଏହା ସାମଗ୍ରିକ ସ୍ୱାସ୍ଥ୍ୟ, ପରିବେଶ ସହ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ପ୍ରତି ଭାରତର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । “ଏକ ପୃଥିବୀ-ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ଏହାର ମାର୍ଗଦର୍ଶକ ନୀତି ଭାବରେ ଗ୍ରହଣ କରି, ଭାରତ ଶାରୀରିକ ସୁସ୍ଥତା ସହ ସଚେତନ ଜୀବନଯାପନକୁ ସଂଯୋଗ କରିବାରେ ବିଶ୍ୱର ନେତୃତ୍ୱ ନେଇ ଚାଲିଛି ।

jittmm
Leave A Reply

Your email address will not be published.