
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଖବର ପାଇ ଫୁଲବାଣୀ ଟାଉନ୍ ଥାନା ଏବଂ ବାଲିଗୁଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ରବିବାର ରାତିରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିର୍ଶୀପାଙ୍ଗା ଗାଁର ହେମ କହଁର ଓ ପୁଅ ନୀଳକଣ୍ଠ କହଁର ବାଇକ୍ ଯୋଗେ ରାଇପଙ୍ଗା ଗାଁକୁ ଯାଇ ଘରକୁ ଫେରୁଥିଲେ । ଏତିକି ବେଳେ ଗାଲୀଗୁରା ଘାଟିରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେମ କହଁରଙ୍କର ମୃତ୍ୟୁ ହୋଇଥିଲା । ପୁଅ ନୀଳକଣ୍ଠ କହଁରଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳକଣ୍ଠଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଫୁଲବାଣୀ ଟାଉନ୍ ଥାନା ଏବଂ ବାଲିଗୁଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅପର ପକ୍ଷରେ ଆମ୍ବୁଲାନ୍ସ ବିଳମ୍ଵରେ ପହଞ୍ଚିବା ଯୋଗୁଁ ବାପା-ପୁଅଙ୍କ ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଦୁର୍ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।