ଘରୁ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର : ପୁଲିସର ସନ୍ଦେହ ଘେରରେ ପତ୍ନୀ

ନୟାଗଡ଼ : ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ବାରମାସୀ ଦଣ୍ଡା ଅଞ୍ଚଳର ଶିଶିର ସାହୁ ବୋଲି ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଏହା ପଛରେ ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ନିଆଁରେ ପୋଡ଼ି ହୋଇ ଆହତ ଶିଶିରଙ୍କ ପତ୍ନୀ ନମିତା ଚିକିତ୍ସିତ ହେଉଛନ୍ତି । ପୁଅ ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି । ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଫରେଷ୍ଟର ଶିଶିର ଓ ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ପାଟି କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ପରେ ଘଟଣାସ୍ଥଳରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ପୁରା ଆୟତ୍ତ କରିଥିଲା । ଏହାପରେ ବେଡ୍‌ରୁମ୍‌ରୁ ଶିଶିରଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ଶିଶିରଙ୍କ ସ୍ତ୍ରୀ ନମିତା ମଧ୍ୟ ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ । ସେହିପରି ଅଗ୍ନିକାଣ୍ଡରେ ଘରର ଅନେକ ସାମଗ୍ରୀ ସହ ସ୍କୁଟିଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ । ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । କେମିତି ନିଆଁ ଲାଗିଲା ସେନେଇ ଖୋଳତାଡ଼ ଜାରି ରଖିଛି ପୁଲିସ । ଅଗ୍ନିକାଣ୍ଡ ପଛରେ ପତ୍ନୀଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି ।

jittmm
Leave A Reply

Your email address will not be published.