ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱଆୟୁକ୍ତ (ଆରଡିସି) ରୂପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମୀକ୍ଷା କରିଛନ୍ତି । ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା କରିଥିଲେ । ବିଶେଷକରି ସରକାରଙ୍କ ଦ୍ଵିତୀୟ ଖାନ ସଂଶୋଧନ, ବସୁନ୍ଧରା ଯୋଜନା, ନୂତନ ରାଜସ୍ଵ ଗ୍ରାମ ଗଠନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଜମି ପଟ୍ଟା ବାବଦରେ ଶ୍ରୀମତୀ ସାହୁ ସମୀକ୍ଷା କରିଥିଲେ । ପରେ ବ୍ଲକ କାର୍ଯାଳୟରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ଓ ସରକାରୀ ଯୋଜନା ବାବଦରେ ଶ୍ରୀମତୀ ସାହୁ ସମିକ୍ଷା କରିଥିଲେ । ବିଶେଷକରି ପାନୀୟ ଜଳ, ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ, ଅଙ୍ଗନୱାଡି କେନ୍ଦ୍ର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଜିଏ), ବିକଶିତ ଗାଁ ବିକଶିତ ଓଡିଶା ଓ ମିଶନ ଶକ୍ତି ବାବଦରେ ସମୀକ୍ଷା କରିଥିଲେ । ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ଆସୁଥିବା ଲୋକଙ୍କୁ ଆଇନ ଅନୁଯାୟୀ ତ୍ୱରିତ ସେବା ଯୋଗାଇ ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ଥିଲେ ।
