jittmm
sonalika

ସାବିତ୍ରୀ ବ୍ରତ ମହା‍ଆଡମ୍ବର ସହକାରେ ପାଳିତ

ବରଗଡ଼, (ମୁନ୍ନା ସାହୁ) : ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ, ପବିତ୍ର ଓ ପ୍ରିୟବ୍ରତ । ଜ୍ୟଷ୍ଠ ଆମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ନିଜ ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟୋଦଶୀ ଠାରୁ ତିନିଦିନ ବ୍ୟାପି ଉକ୍ତ ବ୍ରତ ପାଳନର ବିଧି ରହିଛି । ଏହା ଦ୍ୱାରା ନାରୀମାନେ ବୈଧବ୍ୟ ଯନ୍ତ୍ରଣା ଭୋଗିବେ ନାହିଁ । ସଂସ୍କୃତ ପୁରାଣମାନଙ୍କରେ ସାବିତ୍ରୀ ବ୍ରତ ତିନିଦିନ ପାଳନ କରିବା ଉଲ୍ଲେଖ ରହିଥିଲେ ମଧ୍ୟ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କେବଳ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ସାବିତ୍ରୀ ବ୍ରତ ଆମ୍ବ ଅମାବାସ୍ୟା, କାଚ ଅମାବାସ୍ୟା ଭାବେ ମଧ୍ୟ ପରିଚିତ । ମଧ୍ୟାହ୍ନ ସମୟରେ ଉକ୍ତ ବ୍ରତ କରିବାର ବିଧି ରହିଆସିଛି । ଓଡିଶାରେ ଯେଉଁ କେତୋଟି ବ୍ରତ ବ୍ୟାପକ ଭାବେ ନିଷ୍ଠର ସହ ପାଳିତ ହୋଇଥାଏ, ସେଥି ମଧ୍ୟରେ ସାବିତ୍ରୀ ବ୍ରତ ପ୍ରଧାନ । ବିବାହିତା ନାରୀମାନେ କେବଳ ଏହାକୁ ପାଳନ କରିଥାନ୍ତି । ସାବିତ୍ରୀ ନିଜ ବାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣି ପାରିଥିଲେ । ଗୋଟିଏ ନାରୀର ଏକାଗ୍ରତା, ପବିତ୍ରତା ଧର୍ମ ଆଗରେ ସ୍ୱୟଂ ଯମରାଜ ପରାସ୍ତ ହୋଇଥିଲେ । ଦେଶର ସମଗ୍ର ନାରୀ ଜାତିର ଆଦର୍ଶ ଭାବେ ଗ୍ରହଣୀୟ ସେ । ତାଙ୍କରି ଏ କୁଚ୍ଛସାଧନା, ତ୍ୟାଗ, ପତିବ୍ରତା ସମସ୍ତଙ୍କୁ ଉଦ୍‍ବୁଦ୍ଧ କରିଛି । ସାଧାରଣତଃ ପଡା ପଡାରେ ପନ୍ଦର କୋଡିଏ ଜଣ ନାରୀ ଏକତ୍ର ହୋଇ ଏହି ବ୍ରତ କରିଥାନ୍ତି । ବ୍ରାହ୍ମଣ ଆସି ପୂଜାପାଠ କରନ୍ତି । ସ୍ତ୍ରୀମାନେ ନୂଆ ଲୁଗା ପିନ୍ଧି ଆମ୍ବ, ପଣସ, ଖଜୁରୀ କୋଳି, କାକୁଡି, ନଡିଆ, କଦଳୀ ପ୍ରଭୃତି ଫଳ ପୂଜା କରନ୍ତି । ବାପଘରୁ ମଧ୍ୟ ଭୋଗ ସାମଗ୍ରୀ, ଝିଅପାଇଁ ଲୁଗା ଆସିଥାଏ । ଏହା ଏକ ପବିତ୍ର ପରମ୍ପରା ଅଟେ । ଧୂପ, ଦୀପ, ନୈବେଦ୍ୟ ଓ ହୁଳହୁଳି ମଧ୍ୟରେ ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିବା ପରେ ଘରେ ସ୍ୱାମୀଙ୍କ ଗୋଡ ଧୋଇ ଚରଣାମୃତ ପାଇ ଗୋଡତଳେ ପ୍ରଣାମ କରିଥାନ୍ତି ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଲକ୍ଷ୍ମୀନାରାୟଣଙ୍କୁ ପ୍ରାର୍ଥନା କରନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ ସହର ତ‍ଥା ଆଖପାଖ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.