jittmm
sonalika

ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର “ପପୟା” ଜର୍ମାନରେ ପ୍ରଦର୍ଶିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ଦୀପକ କୁମାର ବେଶ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ପଶ୍ଚିମବଙ୍ଗର ଜୋନା ମାର୍ଣ୍ଡିଙ୍କ ପ୍ରଯୋଜିତ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର “ପପୟା” ବାରିପଦା ଓ ତାର ଆଖପାଖ ଅଂଚଳରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଚଳଚିତ୍ରଟି ବହୁ ପୁରସ୍କାର ଜିତିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ମୟୁରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିସାରିଛି । ଚଳିତ ମାସ ୨୩ ତାରିଖରେ ଜର୍ମାନୀର ଟୁବିଙ୍ଗେନ ବିଶ୍ୱବିଦ୍ୟାଳୟରେ ଏହି ସାନ୍ତାଳୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହୋଇଛି । ତତସହିତ ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ପ୍ରଫେସର ନିର୍ଦ୍ଦେଶକ ଶ୍ରୀ ବେଶ୍ରାଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଚଳଚିତ୍ରର କାହାଣୀ ଉପରେ ଆଲୋଚନା କରିବା ସହ ବହୁ ପ୍ରଶଂସା କରିଥିଲେ । ମୟୁରଭଞ୍ଜର ସାନ୍ତାଳୀ ସଂସ୍କୃତିକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ସ୍ତରରେ ଏଭଳି ଚର୍ଚ୍ଚିତ ହେବ ବୋଲି କେବେ ଆଶା କରିନଥିଲେ ବୋଲି ଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଅନେକ ସାନ୍ତାଳୀ ଚଳଚିତ୍ର ନିର୍ମାଣ ଦିଗରେ ଏହା ତାଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି ମଧ୍ୟ ସେ କହିଛନ୍ତି । ପ୍ରକାଶ ଥାଉକି ବାରିପଦା ବ୍ଲକ ଅନ୍ତର୍ଗତ ବାଙ୍କୀଶୋଳ ପଂଚାୟତ ସ୍ଥିତ ତାଲଡିହା କଲୋନିସାହୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପମା ସେନାପତି, ଭାଗବତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଭୁଜବଳ ଏବଂ ପୂର୍ଣ୍ଣଚନ୍ଦ୍ର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଶିଶୁ କଳାକାରଙ୍କ ଚୟନ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.