
ବେଲପଡା : ବଲାଙ୍ଗିର ଜିଲ୍ଲା ବେଲପଡା ତଲିପଡ଼ାର ମୃତକ ପ୍ରଶାନ୍ତଙ୍କ ପରିବାରଲୋକଙ୍କୁ ବୁଧବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଭେଟି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ବିଧାୟକ । ଏସମ୍ପକରେ ପୂର୍ବରୁ ବିଧାୟକ ଜିଆରପି ଓ ରାୟପୁର ପୁଲିସ ସହ ଘଟଣାର ତଦନ୍ତ ବାବଦରେ କଥା ହୋଇଥିଲେ । ଏହାସହ ହତ୍ୟାକାରୀକୁ ନିଶ୍ଚୟ ଭାବରେ ଦଣ୍ଡ ମିଳିବ । କେହି ହତ୍ୟାକରି ଆଇନରୁ ଖସି ଯାଇନି ବୋଲି କହିଥିଲେ । ପରେ ବେଲପଡା ଥାନାକୁ ଆସି ଥାନା ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକଙ୍କ ସହ ବେଲପଡା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ୮ ତାରିଖ ମୃତକ ପ୍ରଶାନ୍ତ ଓ ତାଙ୍କ ୩ ଜଣ ସାଙ୍ଗ ରାୟପୁରକୁ ମାର୍କେଟିଂ କରିଯାଇଥିଲେ । ସେଠାରୁ ଟ୍ରେନ୍ରେ ଫେରୁଥିବାବେଳ ମହାସମୁନ୍ଦ ଷ୍ଟେସନରେ ପ୍ରଶାନ୍ତ ନିଖୋଜ ହୋଇଥିଲା ବୋଲି ତାଙ୍କ ୩ ଜଣ ସାଙ୍ଗ ଜଣାଇଥିଲେ । ଶେଷରେ ପ୍ରଶାନ୍ତଙ୍କ ମୃତଦେହ ରାୟପୁର ଆରଙ୍ଗ ପୁଲିସ ନିକଟରେ ଥିବା ଏକ ରେଳ ଟ୍ରାକ୍ରୁ ମୃତଦେହ ପାଇଥିଲା । ପୁଲିସ ପରିଚୟ ନପାଇବାରୁ ସେଠାରେ ପୋତି ଦେଇଥିଲା । ତାପରେ ପରିବାର ଲୋକେ ଗତ ୧୫ ତାରିଖ ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ । ଏହାପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ବେଲପଡା ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ଏହା ପରେ ପ୍ରଶାନ୍ତଙ୍କ ମୃତଦେହ ସେଠାରୁ ଉଦ୍ଧାର କରି ବେଲପଡାକୁ ଅଣାଯାଇ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିଲା ।