
ଝାରସୁଗୁଡା : ଘର ପଛପଟ ବଗିଚାକୁ ଯାଇଥିବା ବେଳେ ଆକ୍ରମଣ କଲା ବାର୍ହା । ବାର୍ହା ଆକ୍ରମଣରେ ଗୁରୁତର ହେଲେ ମାଆ ଓ ପୁଅ । ଗୁରୁତର ଅବସ୍ଥାରେ ମାଆ ଓ ପୁଅଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ । ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସାପଡାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ବଡ଼ମାଲ ଥାନା ଅନ୍ତର୍ଗତ ସାପଡାରେ ଦୀପାଳି ବରିହା ରୁହନ୍ତି । ବୁଧବାର ସକାଳ ୭ଟା ୩୦ରେ ଦୀପାଳି ଘର ପଛ ପଟ ବଗିଚାକୁ ଯାଇଥିଲେ । ସେଠାରେ ଏକ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ପୁଅ ବିରଞ୍ଚି ବରିହା ଦୌଡ଼ି ଯାଇ ମାଆଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ବାର୍ହାଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ଉଭୟ ମାଆ ଓ ପୁଅ ବାର୍ହା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।