
ଭୁବନେଶ୍ୱର : ଭୁଟାନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଶ୍ୱବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର ମୋବିଲିଟି କନଫରେନ୍ସରେ ହେବେ ସାମିଲ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଭୁଟାନ ଥିମ୍ପୁ ଠାରେ ଏହି ସମ୍ମିଳନୀ ଚାଲିବ । ଭାରତ ପକ୍ଷରୁ ଓଡ଼ିଶାର ପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିନିଧିତ୍ୱ କରିବେ । କନକ ବର୍ଦ୍ଧନ ସିଂହଦେଓ ବର୍ତ୍ତମାନ ଓଡ଼ିଶାର ଶ୍ରମିକ ବିସ୍ଥାପନ ଟାସ୍କଫୋର୍ସର ଚେୟାରମ୍ୟାନ ଅଛନ୍ତି । ତେଣୁ ସେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପନ୍ଥା ଓ ନୀତି ନିରୂପଣ କରିବାରେ ବିଶେଷ ସହାୟକ ହେବ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହିତ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ । ସେହିପରି ଭୁଟାନ, ମଧ୍ୟପ୍ରାଚ୍ୟ ରାଷ୍ଟ୍ର, ଉତ୍ତର ଆଫ୍ରିକା, ଇଟାଲୀ, ଅଷ୍ଟ୍ରେଲିଆ, ଆରବ ଦେଶ, ଫିଲିପାଇନ୍ସ, ପପୁଆ ନ୍ୟୁ ଗୁନିଆ, ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ଜାମାଇକା ଓ ବାଂଲାଦେଶର ପ୍ରତିନିଧି ସମେତ ବିଶ୍ଵବ୍ୟାଙ୍କ ପ୍ରତିନିଧି ଏହି ଲେବର ମୋବିଲିଟି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।