centurian jitm

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା : ୧୦ଜଣଙ୍କୁ ବାନ୍ଧିଲା ପୁଲିସ

ସୁନ୍ଦରଗଡ଼ : ତଳସରା ଥାନା ଅଧୀନ ବନଡେଗା ଅଞ୍ଚଳରେ ଗତ ମାସରେ ଘଟିଥିବା ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ୧୦ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ମାଗାଜିନ୍, ୨ବାଇକ୍, ୪ ମୋବାଇଲ ଫୋନ ସହ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଥିବା ନେଇ ଆଜି ତଳସରା ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସନତ ନୂତନ ସମଦ ସୂଚନା ଦେଇଛନ୍ତି । ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୪ ତାରିଖ ଦିନ ରାଜଗାଙ୍ଗପୁର ଥାନା ଅଧୀନ ରାଜଗାଙ୍ଗପୁରର ମହମ୍ମଦ ମନୁ ନିଜ ୪ ବ୍ୟବସାୟୀ ବନ୍ଧୁ ରସିଦ କୁରେସି, ଜାହିର କୁରେସି, ମହମ୍ମଦ ଇସମାଇଲ ଓ ମହମ୍ମଦ ସାଜିଦଙ୍କ ସହ ଏକ କାର୍ ଯୋଗେ ବନଡେଗା ଅଞ୍ଚଳକୁ ଛେଳି କିଣିବାକୁ ଯାଇଥିଲେ । ହେଲେ ବାଘିଆବେରଣୀ ଘାଟି ନିକଟରେ ୭ରୁ ୮ ଜଣ ଲୁଟେରା ୩ଟି ବାଇକ୍ ରେ ଆସି ସେମାନଙ୍କୁ ଅଟକାଇଥିଲ । କିଛି ବୁଝିବା ଆଗରୁ ଲୁଟେରା ମାନେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ନଗଦ ୨ ଲକ୍ଷ ୭୧ ହଜାର ଟଙ୍କା, ସମସ୍ତଙ୍କ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ବ୍ୟବସାୟୀ ମହମ୍ମଦ ମନୁ ତଳସରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ରାଜଗାଙ୍ଗପୁର ବାଗିଚପଡ଼ାର ଓମନାଥ ବାରିକ ସମ୍ପୃକ୍ତ ଥିବା ବିଶେଷ ସୂତ୍ରରୁ ଜାଣି ପୁଲିସ ୨୮ ତାରିଖରେ ଘରେ ଚଢ଼ାଉ କରି ଧରିଥିଲା । ପରେ ଥାନାକୁ ଆଣି ପଚରଉଚରା କରିବାରୁ ରାଜଗାଙ୍ଗପୁରର ଆଶିଷ ରାଉତ, ଅମିତ୍ ତିୱାରୀ, ଧରୁଆଡିହି ଥାନା ଅଂଚଳର ଅକ୍ଷୟ ବେସନ, ବିକାଶ ଜୟପୁରିଆ, ପ୍ରକାଶ ଜୟପୁରିଆ, ଆକାଶ କୌଡି, ସୋନୁ, ଅର୍ଜୁନ ଓ ଅର୍ଜୁନର ଜଣେ ସାଙ୍ଗ ସଂପୃକ୍ତ ଥିବା ଜାଣିଥିଲେ । ମଙ୍ଗଳବାର ରାତିରେ ପୁଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା । ସମ୍ମିଳନୀରେ ତଳସରା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ଉପସ୍ଥିତ ଥିଲେ ।

Leave A Reply

Your email address will not be published.