
- ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗାଁରେ ଜଣ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ କରିଶ୍ମା ଦୀପ (୧୭) । ଗତ ମାର୍ଚ୍ଚ ମାସ ୨ ତାରିଖ ଦିନ କରିଶ୍ମା ଘୁଚାପାଲି ଗ୍ରାମର ଟିକେଲାଲ କୁମ୍ଭାରଙ୍କ ବଡ଼ପୁଅ ବେଣୁଧର କୁମ୍ଭାରଙ୍କ ସହ ପ୍ରେମ ବିବାହ କରିଥିଲେ । ଗତ ଏପ୍ରିଲ ୭ ତାରିଖ ବେଣୁଧର କେରଳ ରାଜ୍ୟ ସ୍ଥିତ ତ୍ରିଶୂରକୁ କମ୍ପାନୀରେ କାମ କରିବା ପାଇଁ ଯାଇଥିବା ବେଳେ ଗାଁରେ ତାଙ୍କ ସ୍ତ୍ରୀ କରିଶ୍ମା ସହ ମାଁ ଏବଂ ଦିଅର ରହୁଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ କରିଶ୍ମା ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ତାଙ୍କ ଦେହରେ କ୍ଷତ ଥିବାବେଳେ ତଳେ ବ୍ଲଡ଼ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ବାପା ଲକ୍ଷ୍ମଣ ଦୀପଙ୍କ କହିବା ଅନୁଯାୟୀ ମୋ ଝିଅକୁ ତାର ଶ୍ୱଶୁର ଘର ଲୋକେ ପ୍ରଥମେ ମାରି ଦେଇଥିବାବେଳେ ପରେ ତାର ଶରୀରକୁ ଆତ୍ମହତ୍ୟା ରୂପ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କରିଶ୍ମାଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି । ଖପ୍ରାଖୋଲ ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ କରିଶ୍ମାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୯/୨୦୨୫ରେ ଏକ ମାମଲା ଋଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।