centurian jitm

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି :
ପବନରେ ବହୁ ଘର ଭାଙ୍ଗିବା ସହ ଗଛ ବିଦ୍ୟୁତ୍ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଅତି ପ୍ରବଳ ବେଗରେ ପବନ ବୋହି ବହୁ ମାଟି ଓ ଆଜବେଷ୍ଟସ୍‌ ଘର ଭାଙ୍ଗି ଯାଇଥିବା ବେଳେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ପଞ୍ଚାୟତ ବିଜଘାଟ ଗ୍ରାମର ଶିବରାତ୍ର ଛୁରା, ମହେନ୍ଦ୍ର ଛୁରା, କୁନ୍ତୀ ଛୁରା, ଈଶ୍ୱର ବଗର୍ତ୍ତି, ବିଷ୍ଣୁ ସାହୁ, ପ୍ରଦୀପ ସାହୁଙ୍କ ମାଟି, ଆଜବେଷ୍ଟସ ଘର ପବନରେ ଉଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଗ୍ରାମର ପାନେଶ୍ୱରୀ ଭୋଇଙ୍କ ଘର ଉପରେ ଏକ ଗଛ ପଡ଼ି ଘର କ୍ଷତିଗ୍ରସ୍ତ ହୋଇଛି । ଲଖନା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ପୋଲ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ଏହି ମୁଖ୍ୟ ରାସ୍ତାର ଉଭୟ ପାଖରେ ବହୁ ଗଛ ଭାଙ୍ଗିଯାଇଛି । ପତ୍ରାପାଲି(କ) ପଞ୍ଚାୟତ ମଖାପାଲି ଗ୍ରାମର ଯରବନ ବନଛୋରଙ୍କ ଏକ ନବନିର୍ମିତ ଘରର ଆଜବେଷ୍ଟସ ଚୁରମାର ହୋଇ ଭାଙ୍ଗି ଯାଇଥିବା ଜଣାପଡିଛି । ସେହିପରି ଯାମୁଟ ଗ୍ରାମର ବସ୍ତି ମଝିରେ ଏକ ଗଛ ପଡ଼ି ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା । ସଦର ପଞ୍ଚାୟତ ଡୁମେରପଡ଼ା-ବରାଜୁରା ମୁଖ୍ୟ ରାସ୍ତାରେ ଥିବା ଏକ ଆମ୍ବ ଗଛ ପବନରେ ଭାଙ୍ଗି ପଡିବାରୁ ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା । ଡଙ୍ଗରପଡ଼ା ପଞ୍ଚାୟତ ବାହାଡୁକି ଗ୍ରାମ ନିକଟରେ ଥିବା ମୁଖ୍ୟ ରାସ୍ତା ଉପରେ ଏକ ପୁରୁଣା ବିରାଟ ମହୁଲ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିଲା । ଖବର ପାଇ ମୁରିବାହାଲ ଦମକଳ କେନ୍ଦ୍ର ମୁଖ୍ୟ ଆଗ୍ନିକ ଅମ୍ବରିଶ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ବାହାଡୁକି ଓ ପତ୍ରାପାଲି ଗ୍ରାମରେ ଗଛ କାଟିବାରୁ ରାସ୍ତା ଅବରୋଧ ସ୍ଵାଭାବିକ ହୋଇଥିଲା । ଘର ଭାଙ୍ଗିଥିବା ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜସ୍ୱ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହି କାଳ ବୈଶାଖୀ ପ୍ରଭାବରେ ବ୍ଲକର କେତେକ ଗ୍ରାମରେ ଏବେବି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ କାର୍ୟ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.