centurian jitm

ରଚନା ଉତ୍ସବ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ର ବାର୍ଷିକ ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି । ‘ରଚନା’ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ପ୍ରାବନ୍ଧିକ ଓ ଶିକ୍ଷାବିତ୍ ଡ଼ ଅଭିରାମ ବିଶ୍ୱାଳ ଯୋଗଦେଇ “ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା” ବିଷୟରେ ଭାବଗର୍ଭକ ମତ ରଖିଥିଲେ । ଏହି ଅବସରରେ ‘ରଚନା’ ଦ୍ୱାରା ପ୍ରକାଶିତ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀଙ୍କ “ଅମାବାସ୍ୟା ଆକାଶରେ ଜହ୍ନ”, କବି ରତ୍ନମୟ ତ୍ରିପାଠୀଙ୍କ “କହିଥିଲ ବୋଲି” ଏବଂ ଡାକ୍ତର ଜ୍ୟୋତି ସାହୁଙ୍କ “ଅନବଦ୍ୟ” କବିତା ସଂକଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭା ପରିଚାଳନା କରିଥିଲେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର । ଦ୍ଵିତୀୟ ଅଧିବେଶନରେ “ଆଧୁନିକତା ପରିପ୍ରେକ୍ଷୀରେ ଆମ ସଂସ୍କୃତି ଓ ପରମ୍ପରା” ଶୀର୍ଷକ ଆଳାପ ଆଲୋଚନାରେ ସଂସ୍କୃତି-ଗବେଷକ ଅଧ୍ୟାପକ ମୋହନ ସାହୁ, ସାହିତ୍ୟିକା ଡାକ୍ତର ମଞ୍ଜୁବାଳା ପଣ୍ଡା ଓ ଅଧ୍ୟାପକ ଡ. ସଦାଶିବ ମଲ୍ଲିକ ଏବଂ ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ ‘ରଚନା’ର ଉପସଭାପତି କବି ଆନଂଦ ଚନ୍ଦ୍ର ସାହୁ ଏବଂ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ । ତୃତୀୟ ଅଧିବେଶନରେ କବି ପ୍ରହଲ୍ଲାଦ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ “କବିତା ସହ ପ୍ରୀତି ପାଳିବାର ରୀତି” ଶୀର୍ଷକ ସାମାନ୍ୟ କଥନରେ କବି ନବୀନ ବିଶ୍ୱବନ୍ଧୁ ଓ କବି ବନ୍ଦନା ପଟ୍ଟନାୟକ ନିଜର ମତ ଉପସ୍ଥାପନା କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ଏହାପରେ କବି ସସ୍ମିତା ନେପାକ, କବି ସବିତା ମହରା ଏବଂ କବି ମଧୁସୂଦନ ନେଗୀଙ୍କ ମନୋଜ୍ଞ ସଂଯୋଜନାରେ ଅନୁଷ୍ଠିତ ବହୁଭାଷୀ କବିତା ଆସରରେ ୬୦ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.