
ଭୁବନେଶ୍ୱର : ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରହାର । ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍ ପାର୍ କରିଥିବା ବେଳେ ୮ଟି ସହର ୪୦ ଡିଗ୍ରୀ ଡେଇଁଛି । ପାଣିପାଗ ପୂର୍ବାନୁମାନ ଯାହା- ଏବେ ତାତି ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷିବ । ତାପମାତ୍ରା ଶୁକ୍ରବାର ୪୨ ଓ ଶନିବାର ୪୩ ଡିଗ୍ରୀ ଟପିପାରେ । ଉପକୂଳ ବି ୪୦ ଡେଇଁବ । ଏହା ପରେ ବି ତାତିରୁ ବଡ଼ ଧରଣର ନିସ୍ତାର ଆଶା ଦେଖାଯାଉନି । ପାଣିପାଗ କେନ୍ଦ୍ର ସତର୍କ କରାଇଛି, ଆସନ୍ତା ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଖାଦ୍ୟ ଯୋଗାଣ ବିଭାଗ ରାସନ ସାମଗ୍ରୀ ବଣ୍ଟନ ପାଇଁ ନୂଆ ସମୟ ଧାର୍ଯ୍ୟ କରିଛନ୍ତି ସକାଳ ୭ଟାରୁ ୧୦ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇବା ପାଇଁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ହିତାଧିକାରୀଙ୍କ ପାଇଁ ବଣ୍ଟନ କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପିଇବା ପାଣି, ଓଆରଏସ୍ ମହଜୁଦ ରଖିବାକୁ କୁହାଯାଇଛି । ଶୁକ୍ରବାର ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁରରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ । ପଶ୍ଚିମ ଓ ଆଭ୍ୟନ୍ତରଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦-୪୧ ଡିଗ୍ରୀ ପାଖାପାଖି ରହିପାରେ । ଉପକୂଳରେ କଟକ, ଭୁବନେଶ୍ୱର, ଚାନ୍ଦବାଲିରେ ପାରଦ ୩୯ ଡିଗ୍ରୀ ରହିପାରେ । ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ହେବ । ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରି ଛଟପଟ କରିପାରେ । ଝାରସୁଗୁଡ଼ା, ବଲାଙ୍ଗିରରେ ୪୩ ଡିଗ୍ରୀ ତାତିରେ ତ୍ରାହି ତ୍ରାହି ଡାକିବେ । ସୋନପୁର, ରାଉରକେଲା, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ଭବାନୀପାଟଣା, ସୁନ୍ଦରଗଡ଼ରେ ପାରଦ ୪୨ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଅଞ୍ଚଳର କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଚାନ୍ଦବାଲିରେ ୪୦ ଡିଗ୍ରୀ ପହଞ୍ଚିପାରେ ।