
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ କବି ପଦ୍ମଶ୍ରୀ ରମାକାନ୍ତ ରଥଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ଆଧୁନିକ ଓ ଆଧିଭୌତିକ ଚେତନାର କାବ୍ୟ ସ୍ରଷ୍ଟା ମହାନ କବି ପଦ୍ମଭୂଷଣ ରମାକାନ୍ତ ରଥ ୯୧ ବର୍ଷ ବୟସରେ ତାଙ୍କ ଭୁବନେଶ୍ଵର ସ୍ଥିତ ଖାରବେଳନଗର ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ସାରସ୍ୱାତ ଜଗତ ସ୍ତବ୍ଧ ଓ ମ୍ରିୟମାଣ । ତାଙ୍କ ବିୟୋଗରେ ଆଧୁନିକ କାବ୍ୟ ଜଗତରେ ସବୁଦିନ ପାଇଁ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ଯାହା ଅପୂରଣୀୟ । ଏହି ମହାନ କବି ୧୯୩୪ ମସିହାରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ପୁରୀ ସଦର ଅଞ୍ଚଳର ପ୍ରସିଦ୍ଧ ବ୍ରାହ୍ମଣ ଗ୍ରାମ ଶାସନ ଦାମୋଦରପୁର । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ସେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ । ୧୯୯୨ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥାଇ ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ସଭାପତି ପଦବୀ ମଣ୍ଡନ କରିଥିଲେ । ବହୁସମ୍ମାନର ଅଧିକାରୀ ଥିଲେ କବି ରମାକାନ୍ତ ରଥ । ୧୯୭୮ ମସିହାରେ ସପ୍ତମ ଋତୁ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । “ସଚିତ୍ର ଅନ୍ଧାର” ପୁସ୍ତକ ନିମନ୍ତେ,୧୯୮୪ ମସିହାରେ ସେ ପାଇଥିଲେ ସାରଳା ପୁରସ୍କାର । ୧୯୯୧ ରେ ପ୍ରଜାତନ୍ତ୍ର ବିଷୁବ ପୁରସ୍କାର,୧୯୯୨ ରେ ସମ୍ମାନଜନକ ସରସ୍ଵତୀ ସମ୍ମାନ, ୨୦୧୮ ମସିହାରେ ଅତିବଡ଼ି ସମ୍ମାନ,୨୦୦୬ରେ ସାହିତ୍ୟ ଭାରତୀ ସମ୍ମାନ,୨୦୦୯ରେ ଫେଲୋସିପ ସମ୍ମାନ ଆଦି ପାଇବା ସହିତ ୨୦୦୬ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ମହୋଦୟ । ଏହି ମହାନ କବିଙ୍କର ଅନେକ ଆଧୁନିକ କାବ୍ୟ ଓ ପ୍ରମୁଖ ସାରସ୍ୱତ ସୃଷ୍ଟି ମଧ୍ୟରେ ଶ୍ରୀରାଧା, ପଳାତକ, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଧର୍ମପଦର ଆତ୍ମହତ୍ୟା, ସନ୍ଦିଗ୍ଧ ମୃଗୟା ଆଦି ଖୁବ ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ପାଇଛି । ତାଙ୍କ ସମଗ୍ର ସାରସ୍ୱତ ସୃଷ୍ଟି ଆଧୁନିକତା, ଆଧ୍ୟାତ୍ମିକତା ଓ ଆଧିଭୌତିକତାର ତ୍ରିବେଣୀ ସଙ୍ଗମ । ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟକୁ ରମାକାନ୍ତଙ୍କ ଅବଦାନ ଅତୁଳନୀୟ । ଆଗାମୀ ପିଢ଼ିର ସାହିତ୍ୟିକ ମାନଙ୍କ ପାଇଁ ତାଙ୍କ କାବ୍ୟ ସମୁହ ଗୋଟିଏ ଗୋଟିଏ ସାର୍ଥକ ମାର୍ଗଦର୍ଶକ ଭାବେ ଠିଆ ହେବ ଏଥିରେ ସନ୍ଦେହ ନାହିଁ । ରମାକାନ୍ତ ରଥ କେବଳ ଓଡ଼ିଶାର ନୁହନ୍ତି ସମଗ୍ର ଦେଶର ଗର୍ବ ଓ ଗୌରବ । ସେ ମରି ମଧ୍ୟ ଅମର । ଏହି ବରପୁତ୍ରଙ୍କ ଅମର ଆତ୍ମା ପ୍ରତି ଜଳନ୍ଧର ସ୍ତୁତି ସାହିତ୍ୟ ପ୍ରତିଷ୍ଠାନ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।